Explore

Search

May 28, 2026 10:02 pm

ଏଣିକି ସରକାରୀ କାର୍ଯ୍ୟରେ ଚାଲିବ ଇଭି ଗାଡି, ଖୁବଶୀଘ୍ର ଆସିବ ନୂଆ ନିୟମ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଣିକି ପଞ୍ଚାୟତରୁ ଆରମ୍ଭ କରି ବ୍ଲକ, ତହସିଲ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ଧୀରେଧୀରେ ଇଲେକ୍ଟ୍ରିକ ଯାନ (ଇଭି) ବ୍ୟବହାରକୁ ଗୁରୁତ୍ୱ ଦିଆଯିବ । ନୂଆକରି ସରକାରୀ କାର୍ଯ୍ୟ ପାଇଁ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଭଡା ଗାଡି ବ୍ୟବହାରକୁ ବନ୍ଦ କରାଯିବ ବୋଲି ପରିବହନ ବିଭାଗ ସୂଚନା ଦେଇଛି ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯାଇଛି । ଏହି କମିଟି ୨୪ ପ୍ରକାରର ଇଭି ଗାଡି ପାଇଁ ମାସିକ ଭଡା ଦର ନିର୍ଦ୍ଧାରଣ କରିଛି । ସରକାରୀ ବିଭାଗ ଗୁଡିକରେ ଏହି ଗାଡି ଗୁଡିକୁ ଭଡାରେ ବ୍ୟବହାର କରାଯିବ।

ସରକାରୀ କାର୍ଯ୍ୟରେ ଇଭି ବ୍ୟବହାରକୁ ବାଧ୍ୟତାମୂଳକ କରାଯାଉଥିବା ବେଳେ, ଯେଉଁ ସ୍ଥାନରେ ଇଭି ଚାର୍ଜିଂ କିମ୍ବା ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଠାରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ କିମ୍ବା ଡିଜେଲ ଗାଡି ବ୍ୟବହାର ପାଇଁ ଉଚ୍ଚସ୍ତରୀୟ କମିଟି ଅନୁମତି ଦେବ।

ପରିବହନ ବିଭାଗ କହିଛି, ସରକାର ଯଦି ବୃହତ୍ ପରିମାଣରେ ଇଭି ଗାଡି ବ୍ୟବହାର କରିବେ, ତେବେ ଘରୋଇ କ୍ଷେତ୍ରରେ ମଧ୍ୟ ଟ୍ରାଭେଲସ ଓ ଟୁର ଅପରେଟରମାନେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଆଗ୍ରହ ଦେଖାଇବେ। ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ଇନ୍ଧନ ଖର୍ଚ୍ଚ ମଧ୍ୟ କମିବ।

ସୂଚନା ଅନୁସାରେ, ବର୍ତ୍ତମାନ ବିଭିନ୍ନ ସରକାରୀ ବିଭାଗରେ ପ୍ରାୟ ସାଢେ ତିନି ହଜାର ପେଟ୍ରୋଲ ଓ ଡିଜେଲ ଚାଳିତ ଭଡା ଗାଡି ବ୍ୟବହାର ହେଉଛି। ସେମାନଙ୍କର ପଞ୍ଜିକରଣ ଅବଧି ଶେଷ ହେବା ପରେ ପର୍ଯ୍ୟାୟକ୍ରମେ ଇଭି ଗାଡିକୁ ପ୍ରାଥମିକତା ଦିଆଯିବ। ଫଳରେ ସରକାରଙ୍କ ଇନ୍ଧନ ଖର୍ଚ୍ଚ ହ୍ରାସ ପାଇବା ସହ ପରିବେଶ ପ୍ରଦୂଷଣ ମଧ୍ୟ କମିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score