Explore

Search

July 7, 2026 10:50 pm

କୋରାପୁଟକୁ ମିଳିଲା ନୂଆ ରେଳ ସଂଯୋଗ : ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ

କୋରାପୁଟ : ଶେଷରେ କୋରାପୁଟବାସୀଙ୍କ ବହୁଦିନର ଅପେକ୍ଷାର ଅବସାନ ଘଟିଛି। କୋରାପୁଟ ଜିଲ୍ଲାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇଁ ପୁରୀ–କୋରାପୁଟ ଏକ୍ସପ୍ରେସ ସେବାର ଶୁଭାରମ୍ଭ କରାଯାଇଛି । ଏହି ନୂଆ ରେଳ ସେବା ଦକ୍ଷିଣ ଓଡ଼ିଶାକୁ ଉପକୂଳ ଓ ପଶ୍ଚିମ ଓଡ଼ିଶା ସହ ଅଧିକ ସୁଗମ ଭାବେ ସଂଯୋଗ କରିବ।

ଖାଲି ସେତିକି ନୁହେଁ ଏହି ନୂଆ ଟ୍ରେନ୍ ସେବା ଫଳରେ ପବିତ୍ର ଧାମ ପୁରୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଦିବାସୀ ସଂସ୍କୃତି ପାଇଁ ପରିଚିତ କୋରାପୁଟ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ସ୍ଥାପିତ ହୋଇଛି।

ଏହି ଟ୍ରେନ୍ ଚଳାଚଳ ଦ୍ୱାରା କୋରାପୁଟ, ରାୟଗଡ଼ା, ଦାମନଯୋଡ଼ି, କାକିରିଗୁମା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ବଲପୁର, ଅନୁଗୁଳ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ସହର ସହ ସିଧା ରେଳ ସଂଯୋଗ ମିଳିବ । ଯେଉଁଥିରେ ଛାତ୍ରଛାତ୍ରୀ, ଚାକିରିଆ, ବ୍ୟବସାୟୀ, ପର୍ଯ୍ୟଟକ ଓ ରୋଗୀମାନେ ବିଶେଷ ଉପକୃତ ହେବେ।

ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। କୋରାପୁଟର ଦେଓମାଳି, ଗୁପ୍ତେଶ୍ୱର, ସାବର ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ସହଜରେ ପହଞ୍ଚିବା ସମ୍ଭବ ହେବ। ଏହା ସ୍ଥାନୀୟ ବ୍ୟବସାୟ, ପର୍ଯ୍ୟଟନ ଶିଳ୍ପ ଓ ଆଞ୍ଚଳିକ ଅର୍ଥନୀତିକୁ ନୂଆ ଗତି ଦେବ।

୧୮୪୦୭/୧୮୪୦୮ ନମ୍ବର ବିଶିଷ୍ଟ ପୁରୀ–କୋରାପୁଟ–ପୁରୀ ଏକ୍ସପ୍ରେସ ସପ୍ତାହରେ ତିନିଦିନ ଚଳାଚଳ କରିବ। ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ୍ ଛାଡ଼ିବା ବେଳେ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଯାତ୍ରା ଆରମ୍ଭ କରିବ। ନିୟମିତ ସମୟସୂଚୀ ରେଳବିଭାଗ ପକ୍ଷରୁ ପୃଥକ ଭାବେ ପ୍ରକାଶ କରାଯିବ।
ଏହି ନୂଆ ରେଳ ସେବା ଦକ୍ଷିଣ, ପଶ୍ଚିମ ଓ ଉପକୂଳ ଓଡ଼ିଶା ମଧ୍ୟରେ ଯାତାୟାତକୁ ଅଧିକ ସହଜ କରିବା ସହ କୋରାପୁଟ ଜିଲ୍ଲାର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score