Explore

Search

June 27, 2026 9:57 pm

ଦେବସ୍ନାନ ପୂର୍ଣ୍ଣିମା : ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଉତ୍ସବ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପ୍ରମୁଖ ଓ ପବିତ୍ର ପର୍ବ। ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଏହି ମହାନ ଉତ୍ସବରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳିତ ଏହି ଉତ୍ସବ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଶ୍ରୀକ୍ଷେତ୍ରର ଶତାବ୍ଦୀ ପୁରୁଣା ପରମ୍ପରା ଓ ଜଗନ୍ନାଥ ଚେତନାର ଏକ ଅନନ୍ୟ ଅଭିବ୍ୟକ୍ତି।

ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରମୁଖ ଧାର୍ମିକ ପର୍ବମାନଙ୍କ ମଧ୍ୟରୁ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ଉତ୍ସବ ପାଳନ କରାଯାଏ । ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ଶ୍ରୀମନ୍ଦିରର ସ୍ନାନବେଦୀକୁ ପହଣ୍ଡି ବିଜେ କରାଯାଇଥାଏ।

ପରମ୍ପରା ଅନୁଯାୟୀ, ସୁନାକୂଅରୁ ଆଣାଯାଇଥିବା ୧୦୮ ଘଟ ପବିତ୍ର ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମହାସ୍ନାନ କରାଯାଏ। ବେଦମନ୍ତ୍ର, ଘଣ୍ଟ, ଘଣ୍ଟା ଓ ହରିବୋଲ ଧ୍ୱନି ମଧ୍ୟରେ ସମ୍ପନ୍ନ ହେଉଥିବା ଏହି ନୀତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ସ୍ନାନ ପରେ ମହାପ୍ରଭୁ ଗଜବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି, ଯାହାକୁ “ହାତୀ ବେଶ” ବୋଲି ମଧ୍ୟ କୁହାଯାଏ।

ବିଶ୍ୱାସ ରହିଛି ଯେ, ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି । ଏହା ପରେ ସେ ଅନବସର ଗୃହକୁ ଯାଇ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନରୁ ଅନ୍ତରାଳରେ ରହନ୍ତି। ଏହି ସମୟକୁ “ଅନବସର” ବୋଲି କୁହାଯାଏ। ଅନବସର ଶେଷ ହେବା ପରେ ନବଯୌବନ ବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ପବିତ୍ର ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି।

ଉପଚାର ବିଧି :

ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l

ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ ।

ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ ।

ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ ।

ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହିଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଦ୍ଧା ମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।

ଦେବସ୍ନାନ ପୂର୍ଣ୍ଣିମା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭକ୍ତି, ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅପୂର୍ବ ପ୍ରତୀକ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପ୍ରାପ୍ତି ପାଇଁ ଭକ୍ତମାନଙ୍କ ମନରେ ଅସୀମ ଉତ୍ସାହ ଓ ଆଧ୍ୟାତ୍ମିକ ଆନନ୍ଦ ଦେଖିବାକୁ ମିଳେ।

ଦେବସ୍ନାନ ପୂର୍ଣ୍ଣିମାକୁ ରଥଯାତ୍ରାର ଆରମ୍ଭିକ ପର୍ବ ବୋଲି ମଧ୍ୟ କୁହାଯାଏ। କାରଣ ଏହି ଉତ୍ସବ ପରେ ମହାପ୍ରଭୁଙ୍କ ଅନବସର ନୀତି ଆରମ୍ଭ ହୁଏ ଏବଂ ତାହା ପରେ ନବଯୌବନ ଦର୍ଶନ ସହ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥାଏ । ଏହି କାରଣରୁ ଭକ୍ତମାନଙ୍କ ପାଇଁ ଦେବସ୍ନାନ ପୂର୍ଣ୍ଣିମାର ଗୁରୁତ୍ୱ ଅତ୍ୟନ୍ତ ସ୍ୱତନ୍ତ୍ର।

ସ୍ନାନବେଦୀ ହେଉଛି ଶ୍ରୀମନ୍ଦିର ପରିସରର ଏକ ପବିତ୍ର ସ୍ଥାନ, ଯେଉଁଠାରେ ବର୍ଷରେ କେବଳ ଏହି ଦିନ ଚତୁର୍ଦ୍ଧାମୂର୍ତ୍ତି ସର୍ବସାଧାରଣଙ୍କ ଦର୍ଶନ ପାଇଁ ବିରାଜମାନ କରନ୍ତି । ଏହାକୁ “ସ୍ନାନଯାତ୍ରା” ନାମରେ ମଧ୍ୟ ଜଣାଯାଏ । ଓଡ଼ିଶା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ଏହି ଅବସରରେ ପୁରୀ ଧାମକୁ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିଥାନ୍ତି ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ କରିବା ଦ୍ୱାରା ଭକ୍ତମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ । ଏହି ଦିନ ଅନେକ ଭକ୍ତ ଉପବାସ ରଖି ପୂଜାର୍ଚ୍ଚନା କରିଥାନ୍ତି ଏବଂ ମହାପ୍ରଭୁଙ୍କ କୃପା ଲାଭ ପାଇଁ ପ୍ରାର୍ଥନା କରନ୍ତି।

ଏହି ଉତ୍ସବ କେବଳ ଏକ ଧାର୍ମିକ ନୀତି ନୁହେଁ, ବରଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଏବଂ ଶ୍ରୀଜଗନ୍ନାଥ ଭକ୍ତିର ଏକ ଜୀବନ୍ତ ପ୍ରତୀକ। ପ୍ରତିବର୍ଷ ଏହି ପବିତ୍ର ଅବସର ସମଗ୍ର ଓଡ଼ିଶାରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ ଏବଂ ରଥଯାତ୍ରାର ମହାପର୍ବ ପାଇଁ ଭକ୍ତମାନଙ୍କ ମନରେ ନୂତନ ଉତ୍ସାହ ଭରିଦିଏ।

ଗଜବେଶ :

ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ ।

ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।

ଇତିହାସ :

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ ।

ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି ।

ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score