Explore

Search

September 1, 2026 12:46 am

ଓଡ଼ିଶାର ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଓ ଝଡ଼ପବନ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟର ୬ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଫଳରେ ତଳିଆ ଅଞ୍ଚଳରେ ପାଣି ଜମିବା, ଯାତାୟାତ ବାଧାପ୍ରାପ୍ତ ହେବା ସହ ଓ କିଛି ସ୍ଥାନରେ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ବଜ୍ରପାତ ସମୟରେ ଲୋକମାନଙ୍କୁ ଗଛ ତଳେ ଆଶ୍ରୟ ନନେବା ଏବଂ ଖୋଲା ପଡ଼ିଆ କିମ୍ବା ଚାଷଜମିରେ ନରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଚାଷୀ, ମତ୍ସ୍ୟଜୀବୀ ଓ ବାହାରେ କାମ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟାନ୍ୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ୬ଟି ଜିଲ୍ଲା ବ୍ୟତୀତ ରାଜ୍ୟର ଅନେକ ଅନ୍ୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ଅନୁସାରେ, କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଝଡ଼ପବନ ମଧ୍ୟ ଅନୁଭୂତ ହୋଇପାରେ। ଏହାର ପ୍ରଭାବ ଉପକୂଳ ଓ ଅଭ୍ୟନ୍ତରୀଣ ଅଞ୍ଚଳ ଉଭୟରେ ଦେଖାଯିବ। ସେହିପରି ଆଗାମୀ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ପାଣିପାଗ ଜନିତ ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସେହିପରି ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପାଇଁ ଜୁନ୍ ୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସତର୍କତା ଜାରି ରହିଛି । ଏହି ସମୟ ମଧ୍ୟରେ ଉଲ୍ଲେଖନୀୟ ପରିମାଣର ବର୍ଷା ହେବାର ସମ୍ଭାବନା ଥିବାରୁ କୃଷି କାର୍ଯ୍ୟ, ଯାତାୟାତ ଓ ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡ଼ିପାରେ।

ପାଣିପାଗ ବିଶେଷଜ୍ଞମାନେ ଲୋକମାନଙ୍କୁ ସରକାରୀ ପାଣିପାଗ ସୂଚନା ଉପରେ ନଜର ରଖିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ମୌସୁମୀ ବାୟୁ ରାଜ୍ୟରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଥିବାରୁ ଆଗାମୀ କିଛି ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ଜାରି ରହିବ। ଏହା କୃଷି ପାଇଁ ଉପକାରୀ ହେବାସହ କେତେକ ଅଞ୍ଚଳରେ ପାଣିପାଗ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score