Explore

Search

May 28, 2026 10:05 pm

ବସଷ୍ଟପରେ ବୋହିବ ଥଣ୍ଡା ପବନ, ୧୦ ସ୍ଥାନରେ ବେଣାଚେର ଲଗାଇଲା ବିଏମସି

ଭୁବନେଶ୍ୱର : ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମ ପ୍ରବାହରୁ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ। ସହରର ବିଭିନ୍ନ ପ୍ରମୁଖ ବସଷ୍ଟପରେ ସ୍ୱତନ୍ତ୍ର ବେଣାଚେର ପରଦା ଲଗାଇ ଶୀତଳ ବସ୍ କ୍ୟୁ ସେଲଟର ବ୍ୟବସ୍ଥା କରାଯାଇଛି । ବିଏମସି ମୁଖ୍ୟାଳୟ ସମ୍ମୁଖରେ ଥିବା ବସଷ୍ଟପରୁ ବୁଧବାର ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ସହରର ୧୦ଟି ପ୍ରମୁଖ ବସଷ୍ଟପରେ ଏହି ବେଣାଚେର ନିର୍ମିତ ଶୀତଳ ସେଲଟର ସ୍ଥାପନ କରାଯାଇଛି। ରୂପାଲୀ ଛକ, ବାଣୀବିହାର ଓ୍ୱାଟକୋ କାର୍ଯ୍ୟାଳୟ ସମ୍ମୁଖ, ପାଣ୍ଟାଲୁନ୍ ନିକଟ, ରସୁଲଗଡ଼, ଜୟଦେବ ବିହାର, ଡମଣା ଛକ, ରାଜଧାନୀ କଲେଜ ଗେଟ୍ ଆଦି ସ୍ଥାନରେ ଏହା ଲଗାଯାଇଛି। ଏହି ବେଣାଚେର ପରଦାରେ ପ୍ରତିଦିନ ତିନିଥର ପାଣି ଦିଆଯାଉଥିବାରୁ ସେଲଟର ଭିତର ଅଂଶ ସହ ପାଖପାଖି ପରିବେଶ ମଧ୍ୟ ଥଣ୍ଡା ରହୁଛି। ଦୀର୍ଘ ସମୟ ଧରି ବସ୍‌ ଅପେକ୍ଷା କରୁଥିବା ଯାତ୍ରୀମାନେ ଏଥିରୁ ବହୁତ ଆରାମ ଅନୁଭବ କରୁଛନ୍ତି।

ବିଏମସି କହିଛି, ଆଗାମୀ ଦିନରେ ସହରର ଆଉ ୨୦ଟି ସ୍ଥାନରେ ଏଭଳି ଶୀତଳ ବସଷ୍ଟପ ବ୍ୟବସ୍ଥା କରାଯିବ। କେବଳ ବସଷ୍ଟପ ନୁହେଁ, ବିଭିନ୍ନ ଟ୍ରାଫିକ୍ ଛକରେ ମଧ୍ୟ ପଥଚାରୀମାନଙ୍କ ପାଇଁ ସ୍ଥାୟୀ ସେଡ୍ ନିର୍ମାଣ କାମ ଚାଲିଛି। ଏଜି ଛକରେ ଏହା କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ରୂପାଲୀ ଛକ ଓ ପାୱାର ହାଉସ ଛକରେ କାମ ଜାରି ରହିଛି।

ଏହାସହ କଳ୍ପନା ଓ ଫାୟାର ଷ୍ଟେସନ ଛକରେ ଦୁଇଟି ଶୀତଳ ବିଶ୍ରାମସ୍ଥଳ ଖୋଲାଯାଇଛି। ଏଠାରେ ଏସି ବଦଳରେ ବେଣାଚେର ବ୍ୟବହାର କରାଯାଇ ପ୍ରାକୃତିକ ଉପାୟରେ ଥଣ୍ଡା ପରିବେଶ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ବିଦ୍ୟୁତ ସଞ୍ଚୟ ସହ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ସହରର ୪୦ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ସୋଲାର ଓ୍ୱାଟର କିଓସ୍କ ସ୍ଥାପନ କରିଛି। ଏଠାରୁ ଲୋକମାନେ ଥଣ୍ଡା ପାନୀୟ ଜଳ ପାଇପାରୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଥିବା ବେଳେ ବୁଲା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାଣିର ବ୍ୟବସ୍ଥା କରାଯାଇଛି। ଗାଈ, କୁକୁର, ବିରାଳ, ମାଙ୍କଡ଼ ଓ ପକ୍ଷୀମାନଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ଜଳକୁଣ୍ଡ ଓ ପାଣି ପାତ୍ର ରଖାଯାଇଛି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ବିଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score