Explore

Search

May 25, 2026 9:41 pm

ରେଶମ ସହରରେ ପୁଣି ଥରେ ରକ୍ତରଞ୍ଜିତ ଘଟଣା : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ

ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରରେ ପୁଣି ଥରେ ରକ୍ତରଞ୍ଜିତ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ପୋଲିସର ତତ୍ପରତାରେ ଜଣେ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ସହରରେ ଅପରାଧିକ ଘଟଣା ବଢ଼ୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ବଡ଼ ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ନିକଟ ରାଧାକୃଷ୍ଣ ମନ୍ଦିର ସମ୍ମୁଖ ମୁଖ୍ୟ ରାସ୍ତାରେ ମଙ୍ଗଳା ବେହେରା ନାମକ ଯୁବକଙ୍କୁ ଦୁଇ ଭାଇ ଜଗନ୍ନାଥ ସାହୁ ଓରଫ ଜଗା ଏବଂ ବଳିଆ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ, ଏଥିରେ ଦୁଇ ଅଭିଯୁକ୍ତ ମଙ୍ଗଳାଙ୍କୁ ଗୋଡ଼ାଇ ଆକ୍ରମଣ କରୁଥିବା ଦେଖାଯାଇଛି ।

ଗୁରୁତର ଆହତ ଅବସ୍ଥାରେ ମଙ୍ଗଳାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ପୋଲିସ ସୂଚନା ଅନୁଯାୟୀ, ବାଉରୀ ସୁକୁଣ୍ଡା ଅଞ୍ଚଳରେ ଜଗା ଲୁଚିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ ଜଗା ପୋଲିସ ଉପରକୁ ବୋମାମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରିଥିବା କୁହାଯାଉଛି । ପରେ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଜଗାର ଦୁଇ ଗୋଡ଼ରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ଜଗାକୁ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ଗିରିରୋଡ ଅଞ୍ଚଳରେ ଦମ୍ପତ୍ତିଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣାରେ ମଧ୍ୟ ପୋଲିସ ଏନକାଉଣ୍ଟର କରିଥିଲା । ଏହା ସହ ଗତ କିଛି ଦିନ ମଧ୍ୟରେ ତିନୋଟି ବଡ଼ ଅପରାଧିକ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ତିନିଥର ଏନକାଉଣ୍ଟର କରିଥିବା ଜଣାପଡ଼ିଛି ।

ଏପଟେ ମଙ୍ଗଳାଙ୍କ ମା’ କହିଛନ୍ତି ଯେ, ତାଙ୍କ ପୁଅ ଓ ଜଗା-ବଳିଆଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା । ପୂର୍ବରୁ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଥିବା ବେଳେ ଅନେକ ମାମଲା ରୁଜୁ ହୋଇଥିଲା । କିଛି ଦିନ ତଳେ ଜଗା ଓ ବଳିଆଙ୍କ ଘର ଉପରେ ବୋମାମାଡ଼ ଘଟଣାରେ ପୋଲିସ ମଙ୍ଗଳାଙ୍କୁ ସନ୍ଦେହରେ ଗିରଫ କରିଥିଲା । ସେ ପାଞ୍ଚ ଦିନ ତଳେ ଜେଲରୁ ଫେରିଥିବା ବେଳେ ପୁଣି ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score