Explore

Search

April 24, 2026 9:41 pm

ଏପ୍ରିଲ ୨୭ରୁ ସ୍କୁଲ ଛୁଟି

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ତାତୁଛି ସାରା ରାଜ୍ୟ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ଓଡିଶା ସରକାର। ଚଳିତ ମାସ ୨୭ ତାରିଖ ଠାରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ମୁଖ୍ୟତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସିଦ୍ଧାନ୍ତ ନେଇଛନ୍ତି । ଏହାସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ରାଜ୍ୟରେ ତୀବ୍ର ଗରମ ତେଜିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଏହା ଅନୁଯାୟୀ, ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଏପ୍ରିଲ ୨୭ ଠାରୁ ବନ୍ଦ ରହିବ। ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା ଓ ଅନ୍ୟାନ୍ୟ ପ୍ରଶାସନିକ କାମ ପୂର୍ବବତ୍ ଚାଲିବ ବୋଲି ସୂଚନା ମିଳିଛି।

ପିଲାଙ୍କ ପାଇଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା:

ଖରାଛୁଟି ସମୟରେ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କିନ୍ତୁ ଏହି ସମୟରେ ଅଙ୍ଗନବାଡି ପିଲାମାନଙ୍କୁ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ, ଯାହା ତାଙ୍କର ପୋଷଣ ଓ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି କରାଯାଇଛି।

ସମରଲର୍ଣ୍ଣିଂ ବ୍ୟବସ୍ଥା:

ପାଠପଢା ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ଘରେ ବସି ହ୍ୱାଟ୍ସଆପ ମାଧ୍ୟମରେ ସମରଲର୍ଣ୍ଣିଂ କରିପାରିବେ। ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବିଶେଷ ଗ୍ରୀଷ୍ମ କାଳୀନ ଶିକ୍ଷା କାର୍ଯ୍ୟକ୍ରମ ଚାଲିବ। ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ସହିତ ଅଭ୍ୟାସ କାମ ମଧ୍ୟ ପ୍ରଦାନ କରାଯିବ।

ଗ୍ରୀଷ୍ମ ଛୁଟିରେ ଅଭ୍ୟାସ:
ଛାତ୍ରଛାତ୍ରୀଙ୍କ ପାଇଁ ବିଷୟ ଓ ଶ୍ରେଣୀ ଭିତ୍ତିକ ଆସାଇନମେଣ୍ଟ ସିଟ ପ୍ରସ୍ତୁତ ହୋଇଛି। ଏହାସହିତ ଜଡିତ ଅଡିଓ-ଭିଜୁଆଲ୍ ସମଗ୍ରୀ ହ୍ୱାଟ୍ସଆପ ଗ୍ରୁପ୍ ମାଧ୍ୟମରେ ଶେୟାର କରାଯିବ। ୨୫ ଏପ୍ରିଲ ମଧ୍ୟରେ ସମସ୍ତ ସରକାରୀ ସ୍କୁଲରେ ଅଭିଭାବକମାନଙ୍କ ପାଇଁ ଗ୍ରେଡ୍-ଭିତ୍ତିକ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତଥାପି, କିଛି ସ୍ଥାନରେ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପିଲାମାନଙ୍କ ପାଖରେ ପହଞ୍ଚି ନାହିଁ ବୋଲି ସୂଚନା ମିଳିଛି ।

ଜଳୁଛି ଓଡ଼ିଶା :

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢୁଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅତ୍ୟଧିକ ରହୁଥିବା ବେଳେ ଝାରସୁଗୁଡ଼ାରେ ୪୩ .୪ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ରେକର୍ଡ ହୋଇଛି। ରାଜଧାନୀରେ ମଧ୍ୟ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଛି। ଏହି ଅତ୍ୟଧିକ ଗରମ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ପଢିବା କଷ୍ଟସାଧ୍ୟ ହୋଇପଡୁଛି। ଏହି ପରିସ୍ଥିତିରେ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ସରକାର ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score