ନୂଆଦିଲ୍ଲୀ : ଯୁଗ ବଦଳିବା ସହ ସମୟ ବି ବଦଳିଲାଣି । ଆଉ ଏହାରି ଭିତରେ ଏବେ ଏଆଇର ଯୁଗ ସବୁଠି ଚାଲିଛି । ସେ ଶିକ୍ଷା ହେଉ କି ସ୍ୱାସ୍ଥ୍ୟ ସବୁଠି ଏବେ ଏଆଇର ପ୍ରଚଳନ । ତେବେ ଏହାରି ଭିତରେ ଏବେ ଆଉ ଏକ ସ୍ଥାନରେ ଏଆଇ ନିଜର କାମ ଦେଖାଇବ । ଏଥର କୋର୍ଟ ପରିସରରେ କାମ କରିବ ଏଆଇ । କୋର୍ଟକୁ ଆସୁଥିବା ମାମଲା ଗୁଡ଼ିକର ତାଲିକା ପ୍ରସ୍ତୁତି ଓ ଖଣ୍ଡପୀଠ ଆବଣ୍ଟନ କାର୍ଯ୍ୟ ତୁଲାଇବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ନ୍ୟାୟ ପ୍ରଣାଳୀରେ ପାରଦର୍ଶିତା ଓ କାର୍ଯ୍ୟକୁଶଳିତା ବଢ଼ାଇବା ଦିଗରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଏକ ନୂତନ ପଦକ୍ଷେପ ନେଇଛନ୍ତି । ଏହା ଫଳରେ କୋର୍ଟର ପ୍ରଶାସନିକ ପ୍ରକ୍ରିୟାରେ ଆଧୁନିକ ପ୍ରଯୁକ୍ତିର ଭୂମିକା ବଢ଼ିବ ବୋଲି କୁହାଯାଉଛି । ଆଇନ ସମ୍ପର୍କିତ ମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ବ୍ୟବସ୍ଥା ଚାଲୁ ହେଲେ ମାମଲା ବଣ୍ଟନ ପ୍ରକ୍ରିୟାରେ ମାନବୀୟ ହସ୍ତକ୍ଷେପ କମିବ ଏବଂ ପ୍ରଣାଳୀ ଅଧିକ ସ୍ପଷ୍ଟ ଓ ବ୍ୟବସ୍ଥିତ ହେବ। ଦିଲ୍ଲୀରେ ଆୟୋଜିତ ‘ଏଆଇ ଇମ୍ପ୍ୟାକ୍ଟ ସମିଟ’ ପରେ ଏହି ବିଷୟଟି ଆଲୋଚନାରେ ଆସିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟରେ ବିଭିନ୍ନ ଖଣ୍ଡପୀଠଙ୍କ ନିକଟକୁ ମାମଲା ବଣ୍ଟନ କରିବା ଦାୟିତ୍ୱ ପ୍ରଧାନ ବିଚାରପତିଙ୍କ ଉପରେ ଥାଏ । ସେହିପରି ଏହି ପଦକ୍ଷେପ ଫଳରେ ଏହି ପ୍ରକ୍ରିୟାକୁ ଅଧିକ ପ୍ରଣାଳୀଗତ ଏବଂ ପାରଦର୍ଶୀ କରାଯିବାର ଉଦ୍ଦେଶ୍ୟ ରହିଛି।
ଏହାସହ ସୁପ୍ରିମକୋର୍ଟ ରେଜିଷ୍ଟ୍ରୀର କାର୍ଯ୍ୟ ପ୍ରଣାଳୀ ନେଇ ହୋଇଥିବା ଅନ୍ତର୍ନିହିତ ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ମଧ୍ୟ ଚିହ୍ନଟ ହୋଇଥିଲା। ଦୀର୍ଘ ସମୟ ଧରି କିଛି ଅଧିକାରୀ ଏକେଇ ପଦବୀରେ ରହିବା, ପୁରୁଣା ପ୍ରଯୁକ୍ତି ଢାଞ୍ଚା ଏବଂ ଅନିୟମିତ ମାମଲା ବଣ୍ଟନ ଭଳି ଅନେକ ସମସ୍ୟା ପ୍ରଶାସନିକ ଅସୁବିଧାର କାରଣ ହୋଇଥିବା କୁହାଯାଇଛି।
ଏହି ପରିସ୍ଥିତିକୁ ସୁଧାରିବା ପାଇଁ ରେଜିଷ୍ଟ୍ରୀ ଭିତରେ ଅଧିକାରୀମାନଙ୍କର ଆନ୍ତର୍ବିଭାଗୀୟ ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପରେ ଚଳିତ ମାସ ଶେଷ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ସ୍ଥାନାନ୍ତରଣ ହେବା ସମ୍ଭାବନା ରହିଛି।
ଏହି ବିଷୟଟି ଏକ ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସମ୍ମୁଖରେ ଉଠିଥିବା ସୂଚନା ମଧ୍ୟ ମିଳିଛି। ନ୍ୟାୟାଳୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ କାର୍ଯ୍ୟକୁଶଳ କରିବା ପାଇଁ ଏହି ସମସ୍ତ ସଂସ୍କାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଇନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
