Explore

Search

March 2, 2026 9:50 pm

ମାତୃସ୍ନେହ ଓ ତ୍ୟାଗର ଜୀବନ୍ତ ପ୍ରତୀକ : ରମାଦେବୀ ଚୌଧୁରୀଙ୍କ ଅଦ୍ୱିତୀୟ ସେବା ଯାତ୍ରା

ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ଜଣେ ପ୍ରମୁଖ ନାରୀ ସୂର୍ମା ଥିଲେ। ସେ ଓଡ଼ିଶାର ନାରୀମାନଙ୍କୁ ସଚେତନ କରି ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ପ୍ରେରଣା ଦେଇଥିଲେ। ତାଙ୍କ ଜୀବନ ସଂଘର୍ଷ, ସମାଜସେବା ଓ ଦେଶପ୍ରେମର ଏକ ଉଜ୍ଜ୍ୱଳ ଉଦାହରଣ। ମଧୁସୂଦନ ଦାସ ତାଙ୍କର ବଡ଼ ବାପା ଥିଲେ ଓ ତାଙ୍କ ଜୀବନସାଥୀ ଗୋପବନ୍ଧୁ ଚୌଧୁରୀ । ରମାଦେବୀଙ୍କର ଦୁଇସନ୍ତାନ ମନମୋହନ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା ସ୍ୱାଧୀନତା ସଂଗ୍ରାମୀ ଥିଲେ ।

୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସ୍ୟରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ “ବେଲ” ବୋଲି ଡାକୁଥିଲେ । ଗୋପାଳ ବଲ୍ଲଭ ତତ୍କାଳୀନ କଲେକ୍ଟର ଥିଲେ ଓ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ କାର୍ଯ୍ୟକରିଥିଲେ । ହେଲେ ରମାଦେବୀ ବିଦ୍ୟାଳୟ ଶିକ୍ଷାଲାଭ କରିପାରିନଥିଲେ । ତେବେ ସେ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଆଦି ଭାଷାରେ ଅଭିଜ୍ଞ ଥିଲେ । ଛୋଟ ବେଳୁ ସେ ଦେଶପ୍ରେମ ଓ ସମାଜସେବା ପ୍ରତି ଆଗ୍ରହୀ ଥିଲେ। ଆଉ ଗୋପବନ୍ଧୁ ଚୌଧୁରୀଙ୍କୁ ବାହା ହେବା ପରେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଯୋଗଦେଲେ।

୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ଗୋପବନ୍ଧୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ । ରମାଦେବୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରେରିତ ହୋଇ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଇଥିଲେ । ଏହାସହ ରମାଦେବୀ ଗାଁ ଗାଁ ବୁଲି ନାରୀମାନଙ୍କୁ ଖଦି ପିନ୍ଧିବା ଓ ବିଦେଶୀ ସାମଗ୍ରୀ ବହିଷ୍କାର କରିବାକୁ ପ୍ରେରଣା ଦେଇଥିଲେ । ରମାଦେବୀଙ୍କର ଏହି କାର୍ଯ୍ୟକଳାପ ପାଇଁ ସେ ଅନେକଥର ଜେଲ ଯାଇଥିଲେ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ :

୧୯୨୧ ମସିହା ମାର୍ଚ୍ଚ ୨୪ ତାରିଖରେ ମହାତ୍ମା ଗାନ୍ଧୀ କଟକର କାଠଯୋଡ଼ି ବାଲି ଓ ବିନୋଦ ବିହାରୀ ପରିସରରେ ଆୟୋଜିତ ଦୁଇଟି ସାଧାରଣ ସଭାରେ ଯୋଗଦେଇଥିଲେ। ସେହି ସଭାମାନଙ୍କରେ ଗାନ୍ଧୀଜୀ ଦଳିତ ସମାଜର ସୁରକ୍ଷା, ସମାନ ଅଧିକାର ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ନିଜ ଭାଷଣରେ ସେ ମହିଳାମାନଙ୍କୁ ଦେଶ ସେବା ପାଇଁ ଆଗକୁ ଆସିବାକୁ ଆହ୍ୱାନ କରି, ଗହଣା ତ୍ୟାଗ କରି ସ୍ୱରାଜ ନିଧିକୁ ଦାନ କରିବା ପାଇଁ ନିବେଦନ କରିଥିଲେ।

ଏହି ସଭାରେ ଉପସ୍ଥିତ ଥିବା ରମାଦେବୀ ଚୌଧୁରୀ ଗାନ୍ଧୀଜୀଙ୍କ ଆହ୍ୱାନରେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ସେ ତତ୍କ୍ଷଣାତ ନିଜର ପ୍ରାୟ ୨୦୦ ଭରି ସୁନାର ଅଳଙ୍କାର ସହିତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ। ଏହା ସହିତ ସେ ସରଳ ଓ ସାଧାରଣ ଜୀବନ ଅନୁସରଣ କରିବାକୁ ସଂକଳ୍ପ କରି ଶସ୍ତା ଶାଢ଼ୀ ପରିଧାନ କରିବା ଆରମ୍ଭ କରିଥିିଲେ। ରମାଦେବୀଙ୍କ ଅସାଧାରଣ ସେବା ପାଇଁ ଓଡ଼ିଶାବାସୀ ସେଠାରେ ଗଭୀର ସମ୍ମାନ ଜଣାନ୍ତି। ତାଙ୍କ ନାମରେ ଅନେକ ଶିକ୍ଷାନୁଷ୍ଠାନ ଓ ସଂସ୍ଥା ରହିଛି। ତାଙ୍କ ଜୀବନ ଆଜି ମଧ୍ୟ ଯୁବପିଢ଼ୀ ପାଇଁ ପ୍ରେରଣାଦାୟକ।

ପରବର୍ତ୍ତୀ ସମୟରେ ସେ ବଙ୍ଗଲକ୍ଷ୍ମୀ ପ୍ରେସରେ ତିଆରି ହୋଇଥିବା ଶାଢ଼ୀ, ଖଦୀ ବସ୍ତ୍ର ଓ ଅନ୍ୟାନ୍ୟ ସ୍ୱଦେଶୀ ପୋଷାକ ଆଜୀବନ ପରିଧାନ କରିବାର ସଙ୍କଳ୍ପ ନେଇଥିଲେ । ତାଙ୍କର ଏହି ତ୍ୟାଗ ଓ ଦୃଢ଼ ସଂକଳ୍ପ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗ ଦେଇଥିଲା ।

ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ରମାଦେବୀ ଚୌଧୁରୀ ଜଣେ ସକ୍ରିୟ ଓ ସାହସିକ ନାରୀ ନେତୃତ୍ୱ ଭାବେ ପରିଚିତ। ୧୯୩୦ ମସିହାର ଆଇନ ଅମାନ୍ୟ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହରେ ସେ ସକ୍ରିୟ ଭାଗ ନେଇଥିଲେ । ୧୯୩୪ ଅଗଷ୍ଟ ୮ରେ ମହାତ୍ମା ଗାନ୍ଧୀଙ୍କ ପୁରୀ ହରିଜନ ସମାବେଶ ସମୟରେ ସେ ମୁଖ୍ୟ ଦାୟିତ୍ୱ ନିଭାଇଥିଲେ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟରେ ସହଯୋଗ କରିଥିଲେ।

୧୯୨୫ ଅଗଷ୍ଟ ୧୯ ଓ ୨୦ ତାରିଖରେ ଗାନ୍ଧୀଜୀ କଟକରେ ମଧୁସୂଦନ ଦାସଙ୍କ ବାସଭବନରେ ରହୁଥିବା ବେଳେ ସ୍ୱଦେଶ ଜାଗରଣ ଓ ଗ୍ରାମ ଉନ୍ନତି ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ। କଟକରେ ଥିବା ସମୟରେ ସେ କୁଟୀର ଶିଳ୍ପ, ତାରକସୀ ଓ ଚମଡ଼ା ଶିଳ୍ପ କେନ୍ଦ୍ର ଗୁଡ଼ିକ ଦର୍ଶନ କରି ବହୁତ ପ୍ରଭାବିତ ହୋଇଥିଲେ। ଏହି ସମୟରେ କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା ଓ ଦଳିତ ମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥିଲା।

ରମାଦେବୀ ଗାନ୍ଧୀଜୀଙ୍କ ସହ ରହି ତାଙ୍କ ହିନ୍ଦୀ ଭାଷଣକୁ ଓଡ଼ିଆରେ ଅନୁବାଦ କରି ସମସ୍ତଙ୍କୁ ବୁଝାଉଥିଲେ। ଗାନ୍ଧୀଜୀ ଓ ମଧୁସୂଦନଙ୍କ ଆଦର୍ଶରେ ପ୍ରେରିତ ହୋଇ ସେ ୱାର୍ଦ୍ଧା ଆଶ୍ରମ ଶୈଳୀରେ ବରି ଆଶ୍ରମ ସ୍ଥାପନା କରିଥିଲେ।

ତାଙ୍କ ବୃଦ୍ଧିଶୀଳ ପ୍ରଭାବକୁ ଦେଖି ବ୍ରିଟିଶ ସରକାର ୧୯୩୦ ନଭେମ୍ବର ୮ରେ ତାଙ୍କୁ ଗିରଫ କରି କଟକ ଜେଲରେ ଆଠ ମାସ ପର୍ଯ୍ୟନ୍ତ ବନ୍ଦୀ ରଖିଥିଲେ। ପରେ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାଗ ନେବା ଦୋଷରେ ରମାଦେବୀ ଓ ତାଙ୍କ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ଦୁଇ ବର୍ଷର ଜେଲଦଣ୍ଡ ଦିଆଯାଇଥିଲା।

ସ୍ୱାଧୀନତା ପରେ ଉଭୟ ଦମ୍ପତି କୌଣସି ପଦବୀ କିମ୍ବା ଚାକିରି ଗ୍ରହଣ କରିନଥିଲେ, ବରଂ ସମାଜସେବାରେ ନିଜକୁ ନିଯୁକ୍ତ କରିଥିଲେ। ୧୯୫୫ ମସିହାରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ମଧ୍ୟ ରମାଦେବୀ ଅଗ୍ରଣୀ ଭୂମିକା ନିଭାଇ ଗ୍ରାମ ଉନ୍ନତି ଓ ସମାଜ ପରିବର୍ତ୍ତନରେ ନୂଆ ଦିଗ ଦେଇଥିଲେ।

୧୯୫୮ ମସିହା ଏପ୍ରିଲ ୨୯ ତାରିଖରେ ଗୋପବନ୍ଧୁ ଚୌଧୁରୀଙ୍କ ଦେହାନ୍ତ ଘଟିଥିଲା। ସ୍ୱାମୀଙ୍କ ଅକାଳ ବିୟୋଗ ପରେ ମଧ୍ୟ ରମାଦେବୀ ଚୌଧୁରୀ ଭାଙ୍ଗି ପଡ଼ିନଥିଲେ । ସେ ଅଧିକ ସଂକଳ୍ପବାନ ଭାବେ ସମାଜସେବାରେ ନିଜକୁ ନିଯୁକ୍ତ କରିଥିଲେ।

୧୯୬୨ ମସିହାର Sino-Indian War ସମୟରେ ସେ ନିଜେ ସେବାଦଳ ଗଠନ କରି ସୀମାଞ୍ଚଳରେ ଅସୁବିଧାରେ ପଡ଼ିଥିବା ଭାରତୀୟ ଯବାନମାନଙ୍କ ପାଇଁ ସହାୟତା ସଂଗ୍ରହ ଓ ସେବା କାର୍ଯ୍ୟ କରିଥିଲେ। ଖାଦ୍ୟ, ବସ୍ତ୍ର ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ।

ପରବର୍ତ୍ତୀ କାଳରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଦେଶରେ ଘୋଷିତ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସେ ସ୍ପଷ୍ଟ ମତ ପ୍ରକାଶ କରିଥିଲେ। ଲୋକତନ୍ତ୍ର ଓ ନାଗରିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ କରି ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜନ କରାଇଥିଲେ।

ଏଭଳି ଭାବେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ରମାଦେବୀ ସମାଜ ଓ ଦେଶ ପାଇଁ ସଦା ସକ୍ରିୟ ରହି ନିଜକୁ ଏକ ଅଦମ୍ୟ ସଂଘର୍ଷଶୀଳ ନାରୀ ଭାବେ ପ୍ରମାଣିତ କରିଥିଲେ। ଏହାପରେ ୧୯୮୫ ମସିହା ଜୁଲାଇ ୨୨ ତାରିଖ ଦିନ ରମାଦେବୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେ କହିଥିଲେ, “ସେ ଓଡ଼ିଆ ଜାତିର ମା’ ନଥିଲେ, ମୋର ମଧ୍ୟ ମା’ ଥିଲେ” । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା । ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାମ “ମା’ ରମାଦେବୀ” ରଖାଯାଇଥିଲା । ଭୁବନେଶ୍ୱରରେ ତାଙ୍କ ନାମରେ ରମାଦେବୀ ମହିଳା ମହାବିଦ୍ୟାଳୟ ସ୍ଥାପନା କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ଦେଇଥିଲା । ତାଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ତ୍ୱ ଲାଗି ଯମୁନାଲାଲ ବଜାଜ ପୁରସ୍କାର ମିଳିଥିଲା ।

ସମ୍ମାନ ଓ ସ୍ମୃତି

ରମାଦେବୀଙ୍କ ଅସାଧାରଣ ସେବା ପାଇଁ ଓଡ଼ିଶାବାସୀ ଗଭୀର ସମ୍ମାନ ଜଣାନ୍ତି। ତାଙ୍କ ନାମରେ ଅନେକ ଶିକ୍ଷାନୁଷ୍ଠାନ ଓ ସଂସ୍ଥା ରହିଛି। ତାଙ୍କ ଜୀବନ ଆଜି ମଧ୍ୟ ଯୁବପିଢ଼ୀଙ୍କ ପାଇଁ ପ୍ରେରଣାଦାୟକ। ମାତୃତ୍ୱ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ ଚୌଧୁରୀ । କେବଳ ଓଡ଼ିଶା ନୁହେଁ ପୂରା ଦେଶର ଗର୍ବ ଓ ଗୌରବ ସେ । ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score