ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସର୍ବବୃହତ ସାଂସ୍କୃତିକ ମହୋତ୍ସବ ‘ଛତ୍ରପୁର ମହୋତ୍ସବ-୨୦୨୬’ର ଆଜି ୪ର୍ଥ ସନ୍ଧ୍ୟା । ଏନେଇ ସମଗ୍ର ଛତ୍ରପୁର ସହର ଉତ୍ସବମୁଖର ପରିବେଶରେ ରଙ୍ଗୀନ ହୋଇ ଉଠିଛି । ପ୍ରତିଦିନ ହଜାର ହଜାର ଦର୍ଶକଙ୍କ ସମାଗମ ମଧ୍ୟରେ ଚାଲିଥିବା ଏହି ମହୋତ୍ସବ ଗଞ୍ଜାମର କଳା, ସଂସ୍କୃତି ଓ ଐତିହ୍ୟକୁ ଏକ ନୂତନ ପରିଚୟ ଦେଉଛି । ତେବେ ଆଜିର ଏହି ସନ୍ଧ୍ୟାକୁ ଆହୁରି ସ୍ମରଣୀୟ କରିଥିଲା ବଲିଉଡର ଲୋକପ୍ରିୟ ସଙ୍ଗୀତ ଯୋଡ଼ି ସଚେତ-ପରମ୍ପରାଙ୍କ ସୁମଧୁର ଗୀତ।
ଗତ ତିନି ଦିନ ଧରି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର କଳାକାରମାନେ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଯୋଗାଇଛନ୍ତି। ପ୍ରତି ସନ୍ଧ୍ୟାରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଉପସ୍ଥିତି ରେକର୍ଡ ସୃଷ୍ଟି କରୁଥିବାବେଳେ ଆଜିର ସଙ୍ଗୀତ ସନ୍ଧ୍ୟା ଦର୍ଶକଙ୍କ ଉତ୍ସାହକୁ ଦୁଇଗୁଣା ବଢ଼ାଇ ଦେଇଥିଲା।
ବଲିଉଡର ଏହି ୨ କଣ୍ଠଶିଳ୍ପୀ ସଚେତ ତଣ୍ଡନ ଓ ପରମ୍ପରା ତଣ୍ଡନଙ୍କ ଲାଇଭ୍ ପରିବେଷଣ ଦେଖିବା ପାଇଁ ଜମିଥିଲା ଦର୍ଶକଙ୍କ ଖଚାଖଚ ଭିଡ । ଉଭୟ ନିଜର ଲୋକପ୍ରିୟ ଗୀତଗୁଡ଼ିକ ପରିବେଷଣ କରି ଦର୍ଶକଙ୍କୁ ସଙ୍ଗୀତର ଏକ ଅନନ୍ୟ ଅନୁଭୂତି ଦେଇଥିଲେ।
ଅନ୍ୟପକ୍ଷରେ ମହୋତ୍ସବ ପ୍ରାଙ୍ଗଣରେ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରଦର୍ଶନୀ, ହସ୍ତଶିଳ୍ପ ଷ୍ଟଲ୍, ଖାଦ୍ୟ ଷ୍ଟଲ୍ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଦର୍ଶନୀ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି । ସ୍ଥାନୀୟ କଳାକାରଙ୍କୁ ପ୍ରୋତ୍ସାହନ ଦେବା ସହିତ ଜିଲ୍ଲାର ପର୍ଯ୍ୟଟନ, ସଂସ୍କୃତି ଓ ପାରମ୍ପରିକ କଳାର ପ୍ରଚାର ପ୍ରସାର କରିବା ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ।
ଆଜିର ସଙ୍ଗୀତମୟ ସନ୍ଧ୍ୟାକୁ ନେଇ ସମଗ୍ର ଛତ୍ରପୁର ଉତ୍ସାହରେ ଉବୁଟୁବୁ ହେଉଥିବାବେଳେ, ହଜାର ହଜାର ସଙ୍ଗୀତପ୍ରେମୀଙ୍କ ସମାଗମ ମହୋତ୍ସବକୁ ଆହୁରି ସରଗରମ କରିଥିଲା। ଚତୁର୍ଥ ଦିବସର ଏହି ବିଶେଷ ଆୟୋଜନ ଛତ୍ରପୁର ମହୋତ୍ସବର ଆକର୍ଷଣକୁ ଆହୁରି ବଢ଼ାଇବା ସହ ଦର୍ଶକଙ୍କ ମନରେ ଏକ ଅଭୁଲା ସ୍ମୃତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
