Explore

Search

June 4, 2026 8:16 pm

ଓଡ଼ିଶା ଉପକୂଳ ବିକାଶକୁ ମିଳିଲା ନୂଆ ଦିଗ, କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର : ଓଡ଼ିଶାର ଭିତ୍ତିଭୂମି ବିକାଶ ଓ ଆର୍ଥିକ ଅଗ୍ରଗତି ପାଇଁ ଆସିଛି ଏକ ବଡ଼ ଖବର । ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ଉପକୂଳ ସଡ଼କ ପ୍ରକଳ୍ପକୁ ଶେଷରେ କେନ୍ଦ୍ର କ୍ୟାବିନେଟର ସବୁଜ ସଙ୍କେତ ମିଳିଛି । ଏହି ପଦକ୍ଷେପ କୋଷ୍ଟାଲ ହାଇୱେ ପ୍ରକଳ୍ପ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ।

ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରକଳ୍ପ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରରୁ କୋଣାର୍କ ଦେଇ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ଏକ ଆଧୁନିକ ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ। ଏହାର ମୋଟ ଲମ୍ବ ପ୍ରାୟ ୧୬୩ କିଲୋମିଟର ହେବ ଏବଂ ପ୍ରକଳ୍ପ ପାଇଁ ୮,୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯିବ।

ଏହି ନୂତନ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାଗୁଡ଼ିକୁ ଏକ ଶକ୍ତିଶାଳୀ ସଡ଼କ ନେଟୱର୍କରେ ଯୋଡ଼ିବ। ବିଶେଷକରି ପାରାଦୀପ ବନ୍ଦର ସହ ଯୋଗାଯୋଗ ବ୍ୟବସ୍ଥା ଅଧିକ ସହଜ ହେବା ସହ ପରିବହନ ଖର୍ଚ୍ଚ ଓ ସମୟ ଉଭୟ ହ୍ରାସ ପାଇବ। ଅନୁମାନ କରାଯାଉଛି ଯେ ଯାତ୍ରା ସମୟ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ କମିପାରେ, ଯାହା ବାଣିଜ୍ୟିକ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବ।

ପ୍ରକଳ୍ପକୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ପ୍ୟାକେଜରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପ୍ୟାକେଜ ଅଧୀନରେ ରାମେଶ୍ୱରରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪-ଲେନ୍ ବିଶିଷ୍ଟ ହାଇୱେରେ ପରିଣତ କରାଯିବ। ସେହିପରି ଦ୍ୱିତୀୟ ପ୍ୟାକେଜରେ କାକଟପୁରରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରାସ୍ତାକୁ ୨-ଲେନ୍ ବିଶିଷ୍ଟ ସଡ଼କ ଭାବେ ବିକଶିତ କରାଯିବ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପକୁ ଓଡ଼ିଶା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣ ଅନୁସାରେ ଏହି ହାଇୱେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶକୁ ନୂଆ ଗତି ଦେବ। ବ୍ଲୁ ଇକୋନୋମି, ସାମୁଦ୍ରିକ ପର୍ଯ୍ୟଟନ, ମତ୍ସ୍ୟ ଶିଳ୍ପ ଓ ଶିଳ୍ପାୟନ କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଯୁବପିଢ଼ୀଙ୍କ ପାଇଁ ନୂଆ ଆର୍ଥିକ ସମ୍ଭାବନାର ଦ୍ୱାର ଖୋଲିବ।

ରାଜ୍ୟର ଉପକୂଳ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଆଧୁନିକ କରିବା ସହ ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟ ମାନଚିତ୍ରରେ ଅଧିକ ସୁଦୃଢ଼ ସ୍ଥାନ ଦେବାରେ ଏହି କୋଷ୍ଟାଲ ହାଇୱେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score