Explore

Search

June 4, 2026 8:05 pm

ଗଞ୍ଜାମର ସଫଳତାକୁ ଜାତୀୟ ସ୍ୱୀକୃତି, ମିଳିଲା ୩ ପ୍ରତିଷ୍ଠିତ ପୁରସ୍କାର

ଗଞ୍ଜାମ : ପୁଣିଥରେ ସାରା ଦେଶରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛି ଗଞ୍ଜାମ ଜିଲ୍ଲା। ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାକୁ ତିନିଟି ସମ୍ମାନଜନକ ଜାତୀୟ ପୁରସ୍କାର ମିଳିଛି। ଏହାମଧ୍ୟରୁ ଜିଲ୍ଲାର ଦୁଇଟି ଗ୍ରାମ ପଞ୍ଚାୟତ ‘ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର’ ହାସଲ କରିଥିବା ବେଳେ, ଗଞ୍ଜାମ ଜିଲ୍ଲା ‘ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର’ ପାଇ ଦେଶସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ସଫଳତା କେବଳ ଗଞ୍ଜାମ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ ପାଲଟିଛି ।

ଚଳିତବର୍ଷ ଓଡ଼ିଶାରୁ ମୋଟ ୪ଟି ଗ୍ରାମ ପଞ୍ଚାୟତ ଓ ଗୋଟିଏ ଜିଲ୍ଲା ପଞ୍ଚାୟତକୁ ଜାତୀୟ ପୁରସ୍କାର ପାଇଁ ଚୟନ କରାଯାଇଥିବାବେଳେ, ସେଥିରୁ ୩ଟି ସମ୍ମାନ ଏକାକୀ ଗଞ୍ଜାମ ଜିଲ୍ଲା ହାତେଇବାରେ ସଫଳ ହୋଇଛି। ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ “ସାମାଜିକ ଭାବେ ନ୍ୟାୟପୂର୍ଣ୍ଣ ଓ ସୁରକ୍ଷିତ ପଞ୍ଚାୟତ” ଭାବେ ସମ୍ମାନିତ କରାଯାଇଛି।

ସେହିପରି ଛତ୍ରପୁର ବ୍ଲକର ପୋଟଲାମପୁର ଗ୍ରାମ ପଞ୍ଚାୟତ ଦେଶର ତୃତୀୟ ସର୍ବଶ୍ରେଷ୍ଠ “ସୁସ୍ଥ ପଞ୍ଚାୟତ” ପୁରସ୍କାର ହାସଲ କରି ଜିଲ୍ଲାର ଗୌରବ ବଢ଼ାଇଛି । ଏହସହିତ ଗଞ୍ଜାମ ଜିଲ୍ଲା ପରିଷଦ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ସ୍ୱୀକୃତି ପାଇଛି।

ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ହସ୍ତରୁ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଏପିଡି ବିଜୟ ବେହେରା, ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ପିଇଓ ରୋଜାଲିନ ବେହେରା, ମନ୍ଦାର ସରପଞ୍ଚ ସୁନିତା ଜେନାଙ୍କ ସମେତ ଜିଲ୍ଲାର ପ୍ରତିନିଧିମାନେ ଟ୍ରଫି, ମାନପତ୍ର ଓ ପ୍ରୋତ୍ସାହନ ରାଶି ଗ୍ରହଣ କରିଥିଲେ।

ପୁରସ୍କାର ବାବଦରେ ଗଞ୍ଜାମ ଜିଲ୍ଲାକୁ ୩ କୋଟି ଟଙ୍କା, ମନ୍ଦାର ଗ୍ରାମ ପଞ୍ଚାୟତକୁ ୩୭.୫୦ ଲକ୍ଷ ଟଙ୍କା ଏବଂ ପୋଟଲାମପୁର ଗ୍ରାମ ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହି ସଫଳତା ପଛରେ ଜନପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସ ରହିଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ କହିଛନ୍ତି। ସେ କହିଛନ୍ତି ଯେ, ଏହି ଗୌରବର ସମସ୍ତ ଶ୍ରେୟ ଗଞ୍ଜାମବାସୀଙ୍କର ଏବଂ ଏହି ସଫଳତା ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପଞ୍ଚାୟତକୁ ଅଧିକ ଉନ୍ନତ ଓ ଜନମଙ୍ଗଳକାରୀ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ।

ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ପାଇଁ ଭାରତ ସରକାର ୯ଟି ପ୍ରମୁଖ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ସେହି ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲା ଏହି ସମ୍ମାନଜନକ ଜାତୀୟ ପୁରସ୍କାର ହାସଲ କରିପାରିଛି।

ଗଞ୍ଜାମ ଜିଲ୍ଲା ପୂର୍ବରୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ପାଇଆସିଛି। ଏହି ନୂଆ ସଫଳତା ଜିଲ୍ଲାର ସେହି ଗୌରବମୟ ପରମ୍ପରାକୁ ଆହୁରି ସୁଦୃଢ଼ କରିଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଗଞ୍ଜାମବାସୀଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ, ପରିବେଶ ସୁରକ୍ଷା, ବ୍ୟାପକ ବୃକ୍ଷରୋପଣ, ଶୃଙ୍ଖଳିତ ଜୀବନଯାପନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଆହୁରି ଉନ୍ନତ ପ୍ରଦର୍ଶନ କରି ଜିଲ୍ଲାର ସୁନାମକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଆହ୍ୱାନ ଜଣାଇଛନ୍ତି।

ଗଞ୍ଜାମର ଏହି ଐତିହାସିକ ସଫଳତା ପରେ ଜିଲ୍ଲପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score