Explore

Search

February 11, 2026 5:56 pm

ମହିଳାଙ୍କୁ ହୋଲି-ଦୀପାବଳିରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ହୋଲି-ଦୀପାବଳିରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ମହିଳାମାନଙ୍କ ପାଇଁ ଏଭଳି ଖୁସି ଖବର ଆଣିଛନ୍ତି ଦିଲ୍ଲୀ ସରକାର । ବଢ଼ୁଥିବା ଏଲପିଜି ଗ୍ୟାସ୍ ମୂଲ୍ୟରୁ ସାଧାରଣ ପରିବାରକୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ହୋଲି ଓ ଦୀପାବଳି ଅବସରରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ଏହି ଯୋଜନାରେ ସିଲିଣ୍ଡର ସିଧାସଳଖ ବଣ୍ଟନ କରାଯିବ ନାହିଁ । ଏହି ବଦଳରେ ଗୋଟିଏ ସମ୍ପୂର୍ଣ୍ଣ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ। ଏହାଦ୍ୱାରା ବଣ୍ଟନ ପ୍ରକ୍ରିୟା ଅଧିକ ସହଜ ଓ ପାରଦର୍ଶୀ ହେବ ବୋଲି ସରକାର କହିଛନ୍ତି ।

ସୂଚନାନୁଯାୟୀ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଆନୁଷ୍ଠାନିକ ମଞ୍ଜୁରି ମିଳିଛି । ଏହି ଯୋଜନା ପାଇଁ ସରକାର ୩୦୦ କୋଟି ଟଙ୍କାର ବଜେଟକୁ ଅନୁମୋଦନ କରିଛନ୍ତି । ଏହା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତିର ଏକ ଅଂଶ ଥିବା ବେଳେ ବର୍ତ୍ତମାନ ଏହାକୁ କାର୍ଯ୍ୟରୂପ ଦିଆଯାଉଛି । କ୍ୟାବିନେଟ ଅନୁମୋଦନ ପରେ ଯୋଗ୍ୟ ମହିଳାଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ସମ୍ପୃକ୍ତ ବିଭାଗ ଗୁଡ଼ିକୁ ଟଙ୍କା ସ୍ଥାନାନ୍ତର ପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯିବ।

ହୋଲି ପୂର୍ବରୁ ମିଳିବ ପ୍ରଥମ କିସ୍ତି :

ସରକାରୀ ସୂଚନା ଅନୁସାରେ, ଯୋଜନାର ପ୍ରଥମ କିସ୍ତି ହୋଲି ପୂର୍ବରୁ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପଠାଯିବ। ବୈଧ ରାସନ କାର୍ଡ ଥିବା ଓ ସରକାର ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ମହିଳାମାନେ ମାତ୍ର ଏହି ସୁବିଧାର ଲାଭ ଉଠାଇପାରିବେ।

ସେହିପରି ଦୀପାବଳି ସମୟରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଏହି ଆର୍ଥିକ ସହାୟତା ଦିଆଯିବ । ଫଳରେ ଦିଲ୍ଲୀର ମହିଳାମାନେ ପ୍ରତିବର୍ଷ ଦୁଇଟି ପ୍ରମୁଖ ପର୍ବରେ ମାଗଣା ଗ୍ୟାସ ସିଲିଣ୍ଡର ସହାୟତା ପାଇବେ।

ଦିଲ୍ଲୀ ସରକାର କହିଛନ୍ତି ଯେ ଏହି ଯୋଜନା ମଧ୍ୟବିତ୍ତ ଓ ନିମ୍ନ ଆୟ ବର୍ଗର ମହିଳାମାନଙ୍କୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି । ଏଲପିଜି ମୂଲ୍ୟ ବୃଦ୍ଧିର ସମୟରେ ଏହି ପଦକ୍ଷେପ ପରିବାର ବଜେଟ ଉପରେ ପଡୁଥିବା ଚାପକୁ କମାଇବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score