Explore

Search

February 23, 2026 9:29 am

ଭାରତୀୟ ଚିକିତ୍ସା କ୍ଷେତ୍ରରେ ଏଆଇ ଯୁଗର ନୂଆ ଆରମ୍ଭ

ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ଦେଶର ପ୍ରଥମ ଏଆଇ (Artificial Intelligence) ଆଧାରିତ କ୍ଲିନିକ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ସ୍ଥିତ ସରକାରୀ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (GIMS)ରେ ଶୁଭାରମ୍ଭ ହୋଇଛି । ଭାରତ ସରକାର ଏହି ପଦକ୍ଷେପ ମାଧ୍ୟମରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବାରେ ଗୁରୁତ୍ବ ଦେଇଛନ୍ତି ।

ଚିକିତ୍ସା କ୍ଷେତ୍ରରେ ଏଆଇର ପ୍ରୟୋଗ ରୋଗୀଙ୍କୁ ସଠିକ ଓ ଉତ୍ତମ ଚିକିତ୍ସା ସୁବିଧା ଦେବା ସହିତ ଚିକିତ୍ସା ସମୟକୁ କମାଇବ ବୋଲି ଆଶା କରାଯାଉଛି । ଏହି ନବ ପଦକ୍ଷେପ କେବଳ ଉତ୍ତର ପ୍ରଦେଶ ପାଇଁ ନୁହେଁ, ସମଗ୍ର ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି ।

ଭର୍ଚୁଆଲ ଭାବେ ହେଲା ଉଦଘାଟନ :

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସେବା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଭର୍ଚୁଆଲ ମାଧ୍ୟମରେ ଏହି ଏଆଇ କ୍ଲିନିକର ଉଦଘାଟନ କରିଥିଲେ । ଏହି କ୍ଲିନିକ GIMS ସେଣ୍ଟର ଫର ମେଡିକାଲ ଇନୋଭେସନ ଅଧୀନରେ ସ୍ଥାପିତ ହୋଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ସରକାରୀ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କୁ ସିଧାସଳଖ ଏଆଇ ଆଧାରିତ ସ୍ବାସ୍ଥ୍ୟ ସେବା ସୁବିଧା ଯୋଗାଇବା ।

ଏଥିସହିତ, ଏହି କ୍ଲିନିକ ମାଧ୍ୟମରେ ଏଆଇ ଆଧାରିତ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ଗୁଡ଼ିକୁ ବାସ୍ତବ କ୍ଲିନିକାଲ ପରିବେଶରେ ନିଜ ପ୍ରଯୁକ୍ତି ପରୀକ୍ଷା ଓ ପ୍ରୟୋଗ କରିବାର ସୁଯୋଗ ମିଳିବ ।

ବିଶେଷଜ୍ଞଙ୍କ ମତ :

ଏହି ଅବସରରେ GIMS ନିର୍ଦ୍ଦେଶକ ତଥା ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ଡ. ରାକେଶ କୁମାର ଗୁପ୍ତା କହିଛନ୍ତି ଯେ ଏହି ପଦକ୍ଷେପ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ଗୁଡ଼ିକ ପାଇଁ ଏକ ନୂଆ ଦ୍ୱାର ଖୋଲିବ । ସେ କହିଥିଲେ ଯେ ସମୟର ଆବଶ୍ୟକତା ଅନୁଯାୟୀ ଏହି ପ୍ରଯୁକ୍ତି ନିଶ୍ଚିତ ଭାବେ ରୋଗୀଙ୍କ ପର୍ଯ୍ୟନ୍ତ ସିଧାସଳଖ ସୁବିଧା ପହଞ୍ଚାଇବ ।

ଉଦଘାଟନୀ ସମାରୋହରେ ଭାରତ ସରକାରଙ୍କ ଔଷଧ ବିଭାଗ (ଚିକିତ୍ସା ଉପକରଣ)ର ଯୁଗ୍ମ ସଚିବ ମଧ୍ୟ ଉପସ୍ଥିତ ଥିଲେ । ସେ କହିଥିଲେ ଯେ ଏହି ଏଆଇ କ୍ଲିନିକ୍ ଭବିଷ୍ୟତରେ ଚିକିତ୍ସା ଉପକରଣ ଓ ଏଆଇ ଆଧାରିତ ସ୍ବାସ୍ଥ୍ୟସେବା ସମାଧାନ ପାଇଁ ଏକ ଜାତୀୟସ୍ତରର ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ୧୦୦ରୁ ଅଧିକ ଡାକ୍ତର, ଗବେଷକ, ନୀତି ନିର୍ମାତା ଓ ଶିକ୍ଷାବିତ ଅଂଶ ଗ୍ରହଣ କରିଥିଲେ ।

ଏଆଇ କ୍ଲିନିକର ଲକ୍ଷ୍ୟ :

ଆଇଆଇଟି କାନପୁର, ଆଇଆଇଟି ମାଡ୍ରାସ ଓ ଆଇଆଇଟି ଲକ୍ଷ୍ନୌର ସହଯୋଗରେ ଏହି ଏଆଇ କ୍ଲିନିକ୍‌ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହେବ । ଏଠାରେ ମେଡିକାଲ ଇମେଜିଂ, କ୍ଲିନିକାଲ ଡିସିଜନ ସପୋର୍ଟ ସିଷ୍ଟମ ଓ ତଥ୍ୟ ଆଧାରିତ ସ୍ବାସ୍ଥ୍ୟସେବା ଉପରେ କାମ କରାଯିବ । ଆସନ୍ତା ୬ ଜାନୁଆରୀ ଅର୍ଥାତ କାଲିଠାରୁ ଏହି କ୍ଲିନିକରେ ରୋଗୀ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଡାକ୍ତରଙ୍କ ଭିତରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score