ଭୁବନେଶ୍ୱର : ଯଦି ମିଠାର କଥା ଆସେ ତାହାଲେ ଓଡ଼ିଶାର ପାହାଳ ରସଗୋଲା ପ୍ରଥମେ ଆସେ । ଯାହା କେବଳ ରାଜ୍ୟବାସୀଙ୍କ ପାଇଁ ନୁହେଁ ଦେଶ ବିଦେଶରେ ମଧ୍ୟ ଓଡ଼ିଶାର ପାହାଳ ରସଗୋଲା ଖୁବ ଲୋକପ୍ରିୟ ମିଠା । ପାହାଳ ରସଗୋଲା କେବଳ ଏକ ମିଠା ନୁହେଁ, ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମର ସ୍ଵାଦ । ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା । ଏହା ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣା ଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିବା ଯାଏଁ ଏହାକୁ ଛଣା ଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେ ର ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବି କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା ।
ସେହି ସମୟରେ ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ରସଗୋଲା କେବଳ “ବଙ୍ଗଳାର ରସଗୋଲା” । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ଓଡ଼ିଶାର ବୋଲି ପ୍ରମାଣିତ ହେଲା । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ରସଗୋଲାକୁ ଓଡ଼ିଶାର ବୋଲି ଭୌଗଳିକ ଉପଦର୍ଶନ ବା ଜିଆଇ ଟ୍ୟାଗର ମାନ୍ୟତା ମିଳିଥିଲା । ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି ।
ରଥଯାତ୍ରା ସମୟରେ, ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀଙ୍କ ଅତିଶୟ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତକରିବା ପାଇଁ, ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି, ତାଙ୍କୁ ଖୁଆଇ ମାନଭଞ୍ଜନ କରନ୍ତି । ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ ।
ଓଡ଼ିଶାର ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ “କେଳୁ ଚରଣ ବେହେରା”, ପାହାଳ ଠାରେ ରସଗୋଲା ପ୍ରସ୍ତୁତ କରି, ବ୍ୟବସାୟ ଆରମ୍ଭ କରିଥିଲେ ।
କିମ୍ବଦନ୍ତୀ କୁହେ :
ପାହାଳ ରସଗୋଲାକୁ ନେଇ କେତେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି ।
ଭୌଗଳିକ ଉପଦର୍ଶନ ମାନ୍ୟତା (ଜିଆଇ) :
୨୦୧୮ ମସିହାରେ ଓଡ଼ିଶା ସରକାର ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ ଆବେଦନ କରିଥିଲେ । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଏହାକୁ ସ୍ୱୀକୃତି ମିଳିଥିଲା । ଓଡ଼ିଶାର କ୍ଷୁଦ୍ର ଶିଳ୍ପ କର୍ପୋରେସନ ଲିମିଟେଡ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ମିଳିତ ଭାବରେ ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର ମିଳିଥିଲା ।
ରସଗୋଲା ଦିବସ :
୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇ ଆସୁଛି। ପୌରାଣିକ କଥା ଅନୁଯାୟୀ, ରସଗୋଲା ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଭାବରେ ଅର୍ପଣ କରାଯାଇଛି। ବିଶ୍ୱାସ କରାଯାଏ, ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ବିନା ଅନୁମତିରେ ୯ ଦିନର ଯାତ୍ରାରେ ଯାଇଥିଲେ। ସ୍ବାମୀ ଏବଂ ତାଙ୍କ ଯାତ୍ରାକୁ ନେଇ ମା’ ଲକ୍ଷ୍ମୀ ରାଗି ମନ୍ଦିରର ପ୍ରବେଶ ଦ୍ୱାରରେ ତାଲା ପକାଇ ଦେଇଥିଲେ ଯେ, ତାଙ୍କ ସ୍ବାମୀ ଯେପରି ଘର ଭିତରକୁ ପ୍ରବେଶ ନ କରନ୍ତି। ତେଣୁ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିଥିଲେ।
ଓଡ଼ିଶା ରସଗୋଲାର ସ୍ୱତନ୍ତ୍ରତା ଏବେ ନୁହେଁ, କାହିଁ କେଉଁ କାଳରୁ ରହି ଆସିଛି । ତେବେ ବର୍ତ୍ତମାନ ରସଗୋଲା ଓଡ଼ିଶାରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ୍ ଚର୍ଚ୍ଚିତ । ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ପାହାଳ ରସଗୋଲାକୁ ଦେଶ ଓ ରାଜ୍ୟ ବାହାରେ ବ୍ରାଣ୍ଡିଂ କରିବାରେ ଏହା ସହାୟକ ହୋଇପାରିଛି ।
ଭାରତୀୟ ଖାଦ୍ୟ ରୁଚିରେ ଓଡ଼ିଶାର ରସଗୋଲା :
ଭାରତୀୟ ଖାଦ୍ୟ ରୁଚି ସମ୍ପର୍କରେ ସର୍ବ ଭାରତୀୟସ୍ତରରେ ପ୍ରକାଶିତ କେତେକ ପୁସ୍ତକ ରହିଛି। ଅନେକ ପୁସ୍ତକରେ ଓଡ଼ିଶାର ରସଗୋଲା ସମ୍ପର୍କରେ ଅତି ସ୍ପଷ୍ଟ ଭାବରେ ଲେଖା ରହିଛି। ତା’ଭିତରୁ ଗୋଟିଏ ବହି ହେଉଛି ‘ଦ ବେଙ୍ଗଲିଜ୍’। ଏହାର ଲେଖକ ହେଉଛନ୍ତି ସନ୍ଦୀପ ଚକ୍ରବର୍ତ୍ତୀ। ସେ ଲେଖିଛନ୍ତି ଯେ ଓଡ଼ିଶାରେ ପ୍ରସ୍ତୁତ ରସଗୋଲା ଏକ ଉତ୍କୃଷ୍ଟ ମିଠା । ସେହିପରି ଚାରମିନ୍ ଓ’ବ୍ରାଇନଙ୍କ ଲିଖିତ ‘ଦ ପେଙ୍ଗୁଇନ୍ ଫୁଡ୍ ଗାଇଡ୍’ରେ ମଧ୍ୟ ଓଡ଼ିଶା ରସଗୋଲା ସମ୍ପର୍କରେ ବେଶ୍ ମିଠା ସୂଚନା ଦିଆଯାଇଛି ।
ଓଡ଼ିଶାର ଛେନା ମିଠା :
ରସଗୋଲା ଛଡ଼ା ‘ରସ’ ଶବ୍ଦକୁ ବ୍ୟବହାର କରି ଓଡ଼ିଶାରେ ଅନେକ ମିଠା ରହିଛି, ଯେପରିକି ରସାବଳି, ରସମଲେଇ, ରସକଦମ ଇତ୍ୟାଦି। ସେହିପରି ଛେନାରେ ପ୍ରସ୍ତୁତ ମିଠା ଭିତରେ ଛେନାପୋଡ଼ (ନୟାଗଡ଼ ପ୍ରସିଦ୍ଧ), ଛେନା ଝିଲି (ନିମାପଡ଼ା ପ୍ରସିଦ୍ଧ), ଛେନା ଗଜା, ଛେନା କାକରା, ଛେନା ବରା, ଛେନା ମଣ୍ଡା ଓ ଛେନା ମୁଡ଼ୁକି ଆଦି ଅନ୍ୟତମ। ଓଡ଼ିଶାର ଛେନା କାରିଗର ସାରା ପୃଥିବୀକୁ ଦେଖାଇ ଦେଇଛି ଯେ ଗୋଟିଏ ଦ୍ରବ୍ୟରୁ କେତେ ରୁଚିର ଖାଦ୍ୟ ପ୍ରସ୍ତୁତ ହୋଇପାରେ । କେବଳ ରସଗୋଲା, ଛେନା ପୋଡ଼ କି ଛେନା ଝିଲିର କଥା ନୁହେଁ ଓଡ଼ିଶାର ଏପରି ଅନେକ ନିଜସ୍ୱ ପରିଚୟ ରହିଛି ଯାହାକୁ ଆଜି ଦେଶ ଓ ବିଦେଶରେ ଓଡ଼ିଶାର ବ୍ରାଣ୍ଡ ହିସାବରେ ଉପସ୍ଥାପନ କରିବାର ସମୟ ଆସିଛି । ଏହା ହୋଇପାରିଲେ କେବଳ ଆମର ସାଂସ୍କୃତିକ ପରିଚୟ ବା ଅସ୍ମିତା ଯେ ବଞ୍ଚିରହିବ ଏକଥା ନୁହେଁ, ନୂଆ ପୀଢ଼ି ପାଇଁ ଏକ ବ୍ୟାବସାୟିକ କ୍ଷେତ୍ର ମଧ୍ୟ ସୁନିଶ୍ଚିତ ହୋଇପାରିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

