Explore

Search

May 28, 2026 8:34 pm

ଶିକ୍ଷକରୁ ଓଡ଼ିଶା ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର : ଶିକ୍ଷକରୁ ଓଡ଼ିଶା ପ୍ରଶାସନିକ ଅଧିକାରୀ । ଶିକ୍ଷକତାରୁ ପ୍ରଶାସନିକ ସେବା ପର୍ଯ୍ୟନ୍ତ ଏକ ପ୍ରେରଣାଦାୟକ ସଫଳତାର କାହାଣୀ ଲେଖିଛନ୍ତି ବ୍ରହ୍ମପୁର ସହରର ଟି. ନରସିଂହ ପାତ୍ର । ସଦ୍ୟ ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସେସ୍ (OCS) ପରୀକ୍ଷାରେ ୨୪ତମ ରାଙ୍କ ହାସଲ କରି ସେ ଜିଲ୍ଲା ସହ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଶୈଶବରୁ ଜଣେ ସଫଳ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ନେଇ ନିରନ୍ତର ପରିଶ୍ରମ କରୁଥିବା ନରସିଂହ ଆଜି ନିଜ ଲକ୍ଷ୍ୟକୁ ସାକାର କରିପାରିଛନ୍ତି ।

ବ୍ରହ୍ମପୁରର ଗୋସାଇଁ ନୂଆଗାଁ ନିବାସୀ ଟି. ରାଜେଶ୍ୱରୀ ପାତ୍ର ଓ ଟି. କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଝିଆଁ ପୁଅ ନରସିଂହଙ୍କ ଏହା ଥିଲା ଚତୁର୍ଥ ପ୍ରୟାସ । ପୂର୍ବରୁ ସେ ତିନିଥର OCS ପରୀକ୍ଷା ଦେଇଥିଲେ । ଗତବର୍ଷ ୮୭ତମ ରାଙ୍କ ହାସଲ କରି ରେଭେନ୍ୟୁ ସର୍ଭିସରେ ଚୟନିତ ହୋଇଥିଲେ ମଧ୍ୟ ସେତିକିରେ ଅଟକିନଥିଲେ । ଅଧିକ ଭଲ କରିବାର ଲକ୍ଷ୍ୟ ନେଇ ପୁଣିଥରେ ପ୍ରସ୍ତୁତି ଜାରି ରଖି ଚଳିତବର୍ଷ ୨୪ତମ ସ୍ଥାନ ଅଧିକାର କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ପଞ୍ଚମା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ ନରସିଂହ କାର୍ଯ୍ୟରତ ଥିଲେ । ନିଜ ଶିକ୍ଷକତା ଜୀବନରେ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମଧ୍ୟ ପାଇଥିଲେ । ଏହା ସହ ପୂର୍ବରୁ ରାଜସ୍ୱ ନିରୀକ୍ଷକ ଓ କନିଷ୍ଠ ରାଜସ୍ୱ ସହାୟକ ପରୀକ୍ଷାରେ ମଧ୍ୟ ସେ କୃତକାର୍ଯ୍ୟ ହୋଇଥିଲେ ।

ନିଜ ସଫଳତା ପଛରେ ପରିବାରର ଅବଦାନ ସବୁଠାରୁ ବଡ଼ ବୋଲି କହିଛନ୍ତି ନରସିଂହ । ସେ କହିଛନ୍ତି, “ମୋର ଦୁଃଖ ସମୟରେ ମାଆ ମୋତେ ସାହସ ଦେଇଛନ୍ତି । ବାପା ଓ ଭାଇମାନେ ସବୁବେଳେ ମୋ ପାଖରେ ରହି ସହଯୋଗ କରିଛନ୍ତି । ବାପା ଜଣେ ଚାଷୀ ହୋଇଥିଲେ ମଧ୍ୟ ଅନେକ କଷ୍ଟ କରି ଆମ ତିନି ଭାଇଙ୍କୁ ଉଚ୍ଚ ଶିକ୍ଷା ଦେଇଛନ୍ତି ।” ନରସିଂହଙ୍କ ଏହି ସଫଳତା ଆଜି ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score