ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ଗଣପର୍ବ ରଜକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଗାଁଠୁ ସହର ପର୍ଯ୍ୟନ୍ତ ରଜ ପାଳନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଘରେ ଘରେ ପୋଡ଼ ପିଠା, ମଣ୍ଡା, କାକରା ଓ ଆରିସା ପିଠା ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ମହିଳାମାନେ। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ରଜର ସ୍ୱାଦକୁ ଘରେ ଘରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ‘ପିଠା ଅନ୍ ହ୍ୱିଲ୍ସ’ କାର୍ଯ୍ୟକ୍ରମ।
ସୁଭଦ୍ରା ଶକ୍ତି ବଜାର ପରିସରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏହି ବିଶେଷ ମୋବାଇଲ୍ ଭ୍ୟାନ୍ ସେବାର ଶୁଭାରମ୍ଭ କରିଛନ୍ତି। ପାରମ୍ପରିକ ଓଡ଼ିଆ ସଂସ୍କୃତିର ଛାପ ବହନ କରୁଥିବା ଏହି ସୁସଜ୍ଜିତ ଭ୍ୟାନ୍ ଗୁଡ଼ିକ ମାଧ୍ୟମରେ ଲୋକମାନେ ସହଜରେ ରଜର ପାରମ୍ପରିକ ପିଠାର ସ୍ୱାଦ ଉପଭୋଗ କରିପାରିବେ।
ପୋଡ଼ ପିଠା, ମଣ୍ଡା ପିଠା, କାକରା ପିଠା, ଆରିସା ପିଠା ଓ ଚକୁଳି ପିଠା ଭଳି ସୁସ୍ୱାଦୁ ଖାଦ୍ୟ ଏଥିରେ ଉପଲବ୍ଧ ହେବ।
ଏଥର ରଜକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ସୁଭଦ୍ରା ଶକ୍ତି ବଜାରରେ ‘ରଜ ମହୋତ୍ସବ–୨୦୨୬’ ଆୟୋଜନ କରାଯାଇଛି । ଏଠାରେ ପାରମ୍ପରିକ ପିଠା ସହ ଦୋଳି ଖେଳ, ମେହେନ୍ଦି ଓ ଗ୍ରାମ୍ୟ ପରିବେଶର ଅନୁଭୂତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ହାତରେ ମେହେନ୍ଦି ଲଗାଇଥିଲେ, ପୋଡ଼ ପିଠାର ସ୍ୱାଦ ଚାଖିଥିଲେ ଏବଂ ଦୋଳି ଖେଳି ରଜ ପର୍ବକୁ ସ୍ୱାଗତ କରିଥିଲେ।
ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ରଜର ପାରମ୍ପରିକ ସ୍ୱାଦକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବାର ପ୍ରୟାସ କରାଯାଇଛି। ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍, ଖଣ୍ଡଗିରି, ସିଆରପି ଛକ, ପଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲୀ ଛକ ଭଳି ପ୍ରମୁଖ ସ୍ଥାନରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ଭ୍ୟାନ୍ଗୁଡ଼ିକ ସେବା ଯୋଗାଇବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
