Explore

Search

August 10, 2026 8:05 pm

ଚାଷୀଙ୍କ ପାଇଁ ଆସୁଛି ‘ଏଗ୍ରିଷ୍ଟେକ କାର୍ଡ’, ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର : ରାଜ୍ୟର ଚାଷୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛନ୍ତି । ଆଧାରକାର୍ଡ ଭଳି ପ୍ରତ୍ୟେକ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ଏଗ୍ରିଷ୍ଟେକ୍ ପରିଚୟପତ୍ର ଦିଆଯିବ। ଏହି ପରିଚୟପତ୍ର ମାଧ୍ୟମରେ ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ତ ତଥ୍ୟ ଏକ ଡିଜିଟାଲ ବ୍ୟବସ୍ଥାରେ ସଂରକ୍ଷିତ ରହିବ । ଏହା ପାଇଁ ରାଜ୍ୟ ସରକାର ପଞ୍ଜିକରଣ ଅଭିଯାନକୁ ଜୋରଦାର କରିଛନ୍ତି।

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କର ଏଗ୍ରିଷ୍ଟେକ ଆଇଡି ପଞ୍ଜିକରଣ କରାଯିବ। ଯେଉଁ ଚାଷୀମାନେ କୌଣସି କାରଣରୁ ପଞ୍ଜିକରଣ କେନ୍ଦ୍ରକୁ ଆସିପାରିବେ ନାହିଁ, ସେମାନଙ୍କ ଘରକୁ ଯାଇ ସରକାରୀ ଅଧିକାରୀମାନେ ପଞ୍ଜିକରଣ ପ୍ରକ୍ରିୟା ସମ୍ପନ୍ନ କରିବେ।

ପଞ୍ଜିକରଣ ପରେ ପ୍ରତ୍ୟେକ ଚାଷୀଙ୍କୁ ଏକ ସ୍ୱତନ୍ତ୍ର କାର୍ଡ ପ୍ରଦାନ କରାଯିବ। ଏହି କାର୍ଡରେ ଚାଷୀଙ୍କ ଜମି, ଫସଲ, ଋଣ, ବିହନ, ସାର ଓ ଅନ୍ୟାନ୍ୟ କୃଷି ସମ୍ପର୍କିତ ତଥ୍ୟ ଡିଜିଟାଲ ଭାବେ ସଂରକ୍ଷିତ ରହିବ। ଏହା ଫଳରେ ସରକାରୀ ଯୋଜନା ଓ ସୁବିଧାଗୁଡ଼ିକ ଚାଷୀଙ୍କ ନିକଟକୁ ଅଧିକ ସହଜରେ ପହଞ୍ଚିପାରିବ।

ଏଗ୍ରିଷ୍ଟେକ ଆଇଡି ପଞ୍ଜିକରଣ କାର୍ଯ୍ୟରେ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାମ କରିବେ। ପଞ୍ଜିକରଣ ସମୟରେ ଚାଷୀଙ୍କ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାଲ ଡାଟାବେସରେ ଅନ୍ତର୍ଭୁକ୍ତ କରାଯିବ।

ଏହି ମଧ୍ୟରେ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସନ୍ଦେହକୁ ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଧାନ ବିକ୍ରି ପାଇଁ ଏଗ୍ରିଷ୍ଟେକ୍ ଆଇଡି ବାଧ୍ୟତାମୂଳକ ନୁହେଁ। ଯେଉଁ ଚାଷୀଙ୍କ ପାଖରେ ଏହି ଆଇଡି ନଥିବ, ସେମାନେ ମଧ୍ୟ ପୂର୍ବଭଳି ଧାନ ବିକ୍ରି କରିପାରିବେ। ଆବଶ୍ୟକ ହେଲେ ପଞ୍ଜିକରଣ ସମୟସୀମା ବୃଦ୍ଧି କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ବିଦେଶରେ ରହୁଥିବା ଚାଷୀମାନଙ୍କ ପାଇଁ ମଧ୍ୟ ପଞ୍ଜିକରଣ ସୁବିଧା ରହିବ। ସେମାନେ ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ସହ ଆବଶ୍ୟକ ବାୟୋମେଟ୍ରିକ ଯାଞ୍ଚ ପ୍ରକ୍ରିୟା ମଧ୍ୟ ସମ୍ପନ୍ନ କରିପାରିବେ।

ଅନ୍ୟପଟେ ସମବାୟ ମନ୍ତ୍ରୀ କରିଛନ୍ତି ଯେ, ଏଗ୍ରିଷ୍ଟେକ କାର୍ଡ କୌଣସି ପରିସ୍ଥିତିରେ ବାଧ୍ୟତାମୂଳକ ନୁହେଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଲକ୍ଷ ଚାଷୀ ପଞ୍ଜିକରଣ କରିଥିବା ବେଳେ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଚାଷୀ ଧାନ ବିକ୍ରି କରୁଛନ୍ତି। ଚାଷୀଙ୍କ ସୁବିଧା ଓ ସରକାରୀ ସେବାକୁ ଅଧିକ ସହଜ କରିବା ଲକ୍ଷ୍ୟରେ ଏହି କାର୍ଡ ପ୍ରଚଳନ କରାଯାଉଛି।

ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଧାନ ବିକ୍ରି, ସାର ଓ ବିହନ ପ୍ରାପ୍ତି ସହ ବିଭିନ୍ନ କୃଷି ସେବାକୁ ଏହି ଏଗ୍ରିଷ୍ଟେକ ବ୍ୟବସ୍ଥା ଅଧିକ ସୁବିଧାଜନକ କରିବ। ଏହା ସହିତ ଭାଗଚାଷୀମାନେ ଜମିମାଲିକଙ୍କ ସମ୍ମତିପତ୍ର ଦାଖଲ କରି ନିଜର ଏଗ୍ରିଷ୍ଟେକ ଆଇଡି ପାଇପାରିବେ। ସେହିପରି ଜମି ମ୍ୟୁଟେସନ ପ୍ରକ୍ରିୟାକୁ ମଧ୍ୟ ଶୀଘ୍ର ସମ୍ପନ୍ନ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି।

ଚାଷୀଙ୍କ ସମସ୍ତ କୃଷି ତଥ୍ୟକୁ ଏକ ଏକୀକୃତ ଡିଜିଟାଲ ପ୍ଲାଟଫର୍ମରେ ଆଣିବା ଏବଂ ସରକାରୀ ସୁବିଧାକୁ ଅଧିକ ସ୍ୱଚ୍ଛ ଓ ଦ୍ରୁତ କରିବା ଦିଗରେ ଏଗ୍ରିଷ୍ଟେକ୍ ଆଇଡି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score