ଭୁବନେଶ୍ୱର : ତାମିଲନାଡୁରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏହି ଘଟଣା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରୁ ୫ ଜଣଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ସେଗୁଡ଼ିକୁ ସଡ଼କ ପଥରେ ନିଜ ଜନ୍ମମାଟି କେନ୍ଦୁଝରକୁ ପଠାଯିବ ।
ଅନ୍ୟପକ୍ଷରେ ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ଦିଆଯାଉଥିବା ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହାକୁ ବଢ଼ାଇ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ତେବେ ଭୁବନେଶ୍ୱର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ବରିଷ୍ଠ ସଦସ୍ୟମାନେ ମୃତ ଶ୍ରମିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏଥିସହିତ ଶୋକସନ୍ତପ୍ତ ପରିବାର ଗୁଡ଼ିକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ପକ୍ଷରୁ ଆଶ୍ୱାସନ ଦିଆଯାଇଛି ।
ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ ରବିବାର ଘଟିଥିବା ଗ୍ୟାସ୍ ଲିକ୍ ଘଟଣାରେ ଅନେକ ଓଡ଼ିଆ ଶ୍ରମିକ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହାପରେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି।
ମୃତକମାନଙ୍କ ଅଧିକାଂଶ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ, ସେମାନେ ଜୀବିକା ଅନ୍ୱେଷଣରେ ତାମିଲନାଡୁରେ କାର୍ଯ୍ୟରତ ଥିଲେ । ଏହି ହୃଦୟବିଦାରକ ଘଟଣା ପରେ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଚେନ୍ନାଇରେ ରହି ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ଏବଂ ମୃତଦେହ ଓ ଆହତ ଶ୍ରମିକଙ୍କ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖୁଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
