ଜୟପୁର : କାଗଜକଳ ପୁନରୁଦ୍ଧାର ଦାବିରେ ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମର୍ଥନ ଦିଆଯାଇଛି। କାଗଜକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ହଜାର ହଜାର ଶ୍ରମିକଙ୍କ ଜୀବିକା ସୁରକ୍ଷା ଦାବିରେ ସହରବ୍ୟାପୀ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।
ବନ୍ଦ ପ୍ରଭାବରେ ଜୟପୁର ସହରରେ ସାଧାରଣ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସକାଳୁ ହିଁ ସହରର ଅଧିକାଂଶ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ବନ୍ଦ ରହିଥିବା ଦେଖାଯାଇଛି । ଯାନବାହନ ଚଳାଚଳ ମଧ୍ୟ ଅନେକ ସ୍ଥାନରେ ବାଧାପ୍ରାପ୍ତ ହୋଇଥିବାବେଳେ ବସ୍ ଓ ଅନ୍ୟାନ୍ୟ ଗାଡ଼ିର ଚଳାଚଳ ଆଂଶିକ ଭାବେ ପ୍ରଭାବିତ ହୋଇଛି । ସହରର ପ୍ରମୁଖ ଛକ ଓ ରାସ୍ତାଘାଟରେ ଆନ୍ଦୋଳନକାରୀମାନେ ପିକେଟିଂ କରି ସରକାର ବିରୋଧରେ ନାରାବାଜି କରୁଛନ୍ତି ।
“କାଗଜକଳ ଚାଲୁ କର”, “ଶ୍ରମିକଙ୍କୁ ନ୍ୟାୟ ଦିଅ” ଭଳି ସ୍ଲୋଗାନରେ ସମଗ୍ର ସହର ମୁଖରିତ ହୋଇ ଉଠିଛି । କାଗଜକଳ ବନ୍ଦ ହେବା ପରେ ହଜାର ହଜାର ପରିବାରର ଜୀବିକା ପ୍ରଭାବିତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବିଶେଷକରି କଳ ସହ ସିଧାସଳଖ ଜଡିତ କର୍ମଚାରୀ ଓ ଶ୍ରମିକମାନେ ଦୀର୍ଘଦିନ ଧରି ଅନିଶ୍ଚିତତା ଓ ଆର୍ଥିକ ସଙ୍କଟରେ ରହୁଛନ୍ତି ।
ସୂଚନା ଅନୁସାରେ, କାଗଜକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ନୂତନ କମ୍ପାନୀ ପକ୍ଷରୁ ତଦାରଖ ଓ ସମୀକ୍ଷା କାମ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ସାମ୍ନାକୁ ଆସିନାହିଁ । ଏହାକୁ ନେଇ କର୍ମଚାରୀମାନଙ୍କ ମନରେ ଆଶା ଓ ଆଶଙ୍କା ଦୁହିଁ ଜାରି ରହିଛି। ସରକାର ଓ ପ୍ରଶାସନ ଶୀଘ୍ର ସକାରାତ୍ମକ ପଦକ୍ଷେପ ନେଇ କାଗଜକଳକୁ ପୁନଃ ଚାଲୁ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ବନ୍ଦକୁ ନଜରରେ ରଖି ସହରରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରମୁଖ ଛକ ଓ ସେନ୍ସିଟିଭ୍ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଥିବାବେଳେ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
