ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଗତ କିଛି ଦିନ ଧରି ଓଡ଼ିଶାରେ ଲାଗିରହିଥିବା ବର୍ଷା ଏବେ କମିଛି। ଏହା ସହିତ ରାଜ୍ୟବାସୀଙ୍କ ମଧ୍ୟରେ ଥିବା ବନ୍ୟା ଆଶଙ୍କା ମଧ୍ୟ ହ୍ରାସ ପାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ସକ୍ରିୟ ଥିବା ଅବପାତ ବର୍ତ୍ତମାନ ଦୁର୍ବଳ ହୋଇ ସ୍ପଷ୍ଟ ଲଘୁଚାପରେ ପରିଣତ ହୋଇଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି କ୍ଷୀଣ ହେବ। ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଅଞ୍ଚଳରେ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ।
ତେବେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଝିପି ଝିପି ବର୍ଷା ଜାରି ରହିପାରେ । କେନ୍ଦୁଝର ଓ ମୟୂରଭଞ୍ଜର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୧୦ ଓ ୧୧ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷାର ପୂର୍ବାନୁମାନ ରହିଛି।
ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୬୦.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୫୮.୮, ବରଗଡ଼ରେ ୫୨.୪, ସୁନ୍ଦରଗଡ଼ରେ ୫୦.୬, ନୂଆପଡ଼ାରେ ୪୭ ଏବଂ ଦେବଗଡ଼ରେ ୩୦.୨ ମିଲିମିଟର ବର୍ଷା ହୋଇଛି ।
ନଦୀ ଗୁଡ଼ିକର ଜଳସ୍ତର ଉପରେ ନଜର ରଖାଯାଉଥିବାବେଳେ ମହାନଦୀର ନରାଜ ସ୍ଥାନରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଉଛି । ବିପଦ ସଙ୍କେତସ୍ତର ୨୬.୪୧ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୨୪.୬୫ ମିଟରରେ ରହିଛି, ଯାହା ବିପଦ ସୀମାଠାରୁ ତଳେ ଅଛି।
ଅନ୍ୟପଟେ, ଆସନ୍ତା ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏହା ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ପାଣି ସାମାନ୍ୟ ବଢ଼ିପାରେ, ହେଲେ ବଡ଼ ଧରଣର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।
ବୈତରଣୀ ନଦୀର ଜଳସ୍ତର ମଧ୍ୟ ବର୍ତ୍ତମାନ କମିଛି । ସୋମବାର ଆଖୁଆପଦାରେ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରିଥିଲେ ମଧ୍ୟ ଏବେ ସ୍ଥିତି ସୁଧୁରିଛି। ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ମଧ୍ୟ ସତର୍କ ସୀମାଠାରୁ ବହୁ ତଳେ ରହିଥିବାରୁ ଲୋକମାନେ ସ୍ୱସ୍ତି ଅନୁଭବ କରୁଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
