Explore

Search

June 13, 2026 1:17 pm

ଓଡ଼ିଶାରେ ମୌସୁମୀର ଆଗମନ, ବର୍ଷାରେ ଭିଜିବ ରାଜ୍ୟ : ଖୁସି ହେଲେ ଚାଷୀ

ଭୁବନେଶ୍ୱର : ଦୀର୍ଘ ଅପେକ୍ଷାର ଅବସାନ ଘଟାଇ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି । ଭାରତୀୟ ପାଣିପାଗ ବିଭାଗ (IMD) ଏହାକୁ ନିଶ୍ଚିତ କରିଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗାମୀ କିଛି ଦିନ ଧରି ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ମୌସୁମୀ ବାୟୁ ପ୍ରବେଶ ସହ ଗ୍ରୀଷ୍ମର ଅସହ୍ୟ ଗରମରୁ ଲୋକମାନେ ଆଶ୍ୱସ୍ତି ପାଇବା ସହ କୃଷି କାର୍ଯ୍ୟକଳାପ ମଧ୍ୟ ଗତିଶୀଳ ହେବ ବୋଲି ଆଶା କରାଯାଉଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ ବର୍ଷା କାର୍ଯ୍ୟକଳାପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବା ଅନୁସାରେ, ମୌସୁମୀ ବାୟୁ ଧୀରେ ଧୀରେ ରାଜ୍ୟର ଉତ୍ତର ଭାଗକୁ ଅଗ୍ରସର ହେଉଛି । ବର୍ତ୍ତମାନ ମୌସୁମୀର ଅଗ୍ରଗତି ରେଖା ପାରାଦୀପ ଓ ବାରିପଦା ମଧ୍ୟ ଦେଇ ଅତିକ୍ରମ କରୁଛି। କେରଳରେ ପହଞ୍ଚିବାର ପ୍ରାୟ ଆଠ ଦିନ ପରେ ଏହା ଓଡ଼ିଶାରେ ପ୍ରବେଶ କରିଛି। ଜୁନ୍ ୪ ତାରିଖରେ କେରଳ ଛୁଇଁଥିବା ମୌସୁମୀ ବାୟୁ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ଭାଗକୁ ବିସ୍ତାରିତ ହୋଇ ଏବେ ଓଡ଼ିଶାରେ ପହଞ୍ଚିଛି।

ଆଇଏମଡିର ପୂର୍ବାନୁମାନ ଅନୁସାରେ, ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଓ ଝଡ଼ ପବନ ମଧ୍ୟ ଦେଖିବାକୁ ମିଳିପାରେ । ଏହି ପରିସ୍ଥିତିକୁ ନଜରରେ ରଖି ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ମୌସୁମୀ ଆସିବା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଥିଲା। ଏହା ଫଳରେ ତାପମାତ୍ରା କମିଥିବା ସହ ଗରମର ପ୍ରକୋପ ହ୍ରାସ ପାଇଥିଲା।

ମୌସୁମୀର ଆଗମନ ରାଜ୍ୟର କୃଷି କ୍ଷେତ୍ର ପାଇଁ ଶୁଭ ସଙ୍କେତ ବୋଲି ମନେ କରାଯାଉଛି। ବିଶେଷକରି ଖରିଫ ଋତୁର ଧାନ ଚାଷ ପାଇଁ ଏହି ବର୍ଷା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଏଥିସହ ଜଳାଶୟ ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ପାନୀୟ ଜଳ ସମସ୍ୟା ମଧ୍ୟ କିଛି ମାତ୍ରାରେ ଦୂର ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score