ଭୁବନେଶ୍ୱର : ଆଜି ପବିତ୍ର ସାବିତ୍ରୀ ବ୍ରତ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ଓ ପବିତ୍ର ପର୍ବ ଭାବେ ସାରା ରାଜ୍ୟରେ ଏହା ଉତ୍ସାହ ଓ ଭକ୍ତିର ସହ ପାଳନ କରାଯାଉଛି। ସ୍ୱାମୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ସୁଖମୟ ଜୀବନ ପାଇଁ ବିବାହିତା ନାରୀମାନେ ଉପବାସ ରହି ଭକ୍ତିଭାବରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ପ୍ରତ୍ୟେକ ମନ୍ଦିରରେ ଆଜି ସଧବାମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ନୂତନ ବସ୍ତ୍ର, ଶଙ୍ଖା-ସିନ୍ଦୂର ଓ ପୂଜା ସାମଗ୍ରୀ ସହିତ ସେମାନେ ଭକ୍ତିମୟ ପରିବେଶରେ ପୂଜାର୍ଚ୍ଚନା କରୁଛନ୍ତି।
ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ସାବିତ୍ରୀ ବ୍ରତ ଓଡ଼ିଆ ଘରେ ଘରେ ଆସ୍ଥା ଓ ସଂସ୍କାରର ଏକ ବଡ଼ ପରମ୍ପରା। ପୁରାଣ କଥା ଅନୁସାରେ ସତୀ ସାବିତ୍ରୀ ନିଜର ଅଦମ୍ୟ ସାହସ, ପତିଭକ୍ତି ଓ ଅଟୁଟ ନିଷ୍ଠାର ଶକ୍ତିରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନକୁ ଫେରାଇ ଆଣିଥିଲେ। ସେହି ଅମର କାହାଣୀ ଆଜି ମଧ୍ୟ ପ୍ରତ୍ୟେକ ନାରୀଙ୍କ ପାଇଁ ପ୍ରେରଣା ଓ ଆଦର୍ଶର ପ୍ରତୀକ ହୋଇ ରହିଛି ।
ଆଜି ସକାଳୁ ସକାଳୁ ନାରୀମାନେ ନିର୍ଜଳ ଉପବାସ ରହି ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ବିଶେଷକରି ବଟବୃକ୍ଷ ନିକଟରେ ପୂଜା କରି ସୂତା ବାନ୍ଧି ପରିକ୍ରମା କରୁଛନ୍ତି ସଧବାମାନେ। ହିନ୍ଦୁ ଧର୍ମରେ ବଟଗଛକୁ ଅମରତ୍ୱ ଓ ଦୀର୍ଘାୟୁର ପ୍ରତୀକ ଭାବେ ମନାଯାଏ। ଏହି ଦିନ ଘରେ ଘରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ମନ୍ତ୍ରଧ୍ୱନି, ପୂଜାର ସୁଗନ୍ଧ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାରା ପରିବେଶ ଭକ୍ତିରେ ମୁଗ୍ଧ ହୋଇଯାଏ।
ସାବିତ୍ରୀ ବ୍ରତ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଦାମ୍ପତ୍ୟ ଜୀବନରେ ପ୍ରେମ, ବିଶ୍ୱାସ, ତ୍ୟାଗ ଓ ସମର୍ପଣର ଏକ ଅପୂର୍ବ ପ୍ରତୀକ। ସାବିତ୍ରୀ ଓ ସତ୍ୟବାନଙ୍କ କାହାଣୀ ଆମକୁ ଶିଖାଏ ଯେ ସତ୍ୟ ପ୍ରେମରେ ନିଷ୍ଠା ଓ ତ୍ୟାଗର ମହତ୍ତ୍ୱ କେତେ ଅଧିକ। ସ୍ୱାମୀ–ସ୍ତ୍ରୀ ମଧ୍ୟରେ ଥିବା ଅତୁଟ ବିଶ୍ୱାସ ଓ ପରସ୍ପର ପ୍ରତି ସମ୍ମାନ ହିଁ ଏକ ସୁଖୀ ପରିବାରର ମୂଳ ଆଧାର।
ଆଜିର ଆଧୁନିକ ସମାଜରେ ମଧ୍ୟ ସାବିତ୍ରୀ ବ୍ରତର ମହତ୍ୱ ଅକ୍ଷୁର୍ଣ୍ଣ ରହିଛି। ଏହି ପର୍ବ ଆମକୁ ସନ୍ଦେସ ଦେଇଥାଏ ଯେ ଦାମ୍ପତ୍ୟ ଜୀବନ କେବଳ ଏକ ସମ୍ପର୍କ ନୁହେଁ, ଏହା ହେଉଛି ଭଲପାଇବା, ସହଯୋଗ ଓ ପରସ୍ପର ପ୍ରତି ଆସ୍ଥାର ଏକ ପବିତ୍ର ବନ୍ଧନ। ଜୀବନରେ ଯେତେ ବିପଦ ଆସୁ ନା କାହିଁକି କି ଯଦି ସ୍ୱାମୀ ଓ ସ୍ତ୍ରୀ ପରସ୍ପରଙ୍କ ହାତଧରି ସମସ୍ତ ସମସ୍ୟାକୁ ସାମ୍ନା କରନ୍ତି, ତେବେ କୌଣସି କଷ୍ଟ ବଡ଼ ଲାଗେନାହିଁ।
ସାବିତ୍ରୀଙ୍କ ଅତୁଟ ପତିଭକ୍ତି, ଅସୀମ ଭଲପାଇବା ଓ ଧୈର୍ଯ୍ୟ ଆଜି ମଧ୍ୟ ପ୍ରତ୍ୟେକ ନାରୀଙ୍କ ପାଇଁ ପ୍ରେରଣାର ଉତ୍ସ। ସେଥିପାଇଁ ସାବିତ୍ରୀ ବ୍ରତ କେବଳ ଏକ ପରମ୍ପରା ନୁହେଁ, ଏହା ହେଉଛି ଭାରତୀୟ ସଂସ୍କୃତିରେ ଦାମ୍ପତ୍ୟ ପ୍ରେମ ଓ ସଂସ୍କାରର ଏକ ଚିରନ୍ତନ ପ୍ରତୀକ।
ପ୍ରତିବର୍ଷ ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ନରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳା ଆହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।
କିମ୍ବଦନ୍ତୀ :
ମହାଭାରତ କଥା ଅନୁସାରେ ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ରାଜା ରହୁଥିଲେ। ସେ ନିଃସନ୍ତାନ ଥିବାରୁ ଖୁବ ଦୁଃଖୀ ଥିଲେ। ସନ୍ତାନ ପାଇବା ପାଇଁ ସେ ସାବିତ୍ରୀ ଦେବୀଙ୍କ ପୂଜା ଓ ଯଜ୍ଞ କରିଥିଲେ। ଦେବୀ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଦର୍ଶନ ଦେଲେ। ରାଜା ପୁତ୍ର ସନ୍ତାନ ଚାହିଲେ, କିନ୍ତୁ ଦେବୀ କହିଲେ ଯେ ତାଙ୍କ ଭାଗ୍ୟରେ ପୁଅ ନାହିଁ, ତଥାପି ଜଣେ ଗୁଣବତୀ କନ୍ୟା ଜନ୍ମ ନେବେ। କିଛି ସମୟ ପରେ ରାଣୀଙ୍କ କୋଳରେ ଜଣେ ସୁନ୍ଦର କନ୍ୟା ଜନ୍ମ ନେଲେ। ଦେବୀଙ୍କ କୃପାରୁ ଜନ୍ମ ହୋଇଥିବାରୁ ତାଙ୍କର ନାମ ସାବିତ୍ରୀ ରଖାଗଲା।
ସାବିତ୍ରୀ ବଡ଼ ହେବା ପରେ ତାଙ୍କ ପିତା ତାଙ୍କୁ ନିଜ ଇଚ୍ଛାରେ ପତି ବାଛିବାକୁ କହିଲେ। ସାବିତ୍ରୀ ସହଚରୀମାନଙ୍କ ସହ ଦେଶ ଭ୍ରମଣକୁ ବାହାରିଲେ। ଭ୍ରମଣ କରୁଥିବା ବେଳେ ସେ ଜଙ୍ଗଲରେ ସତ୍ୟବାନ ନାମକ ଜଣେ ରାଜପୁତ୍ରଙ୍କୁ ଦେଖିଲେ। ସତ୍ୟବାନଙ୍କ ପିତା ଦ୍ୟୁମତସେନ ଜଣେ ଅନ୍ଧ ଓ ରାଜ୍ୟହୀନ ରାଜା ଥିଲେ। ସେମାନେ ଜଙ୍ଗଲରେ ସାଧାରଣ ଜୀବନ ବିତାଉଥିଲେ। ସତ୍ୟବାନ ଖୁବ ଭଲ, ଧାର୍ମିକ ଓ ପିତାମାତାଙ୍କ ସେବା କରୁଥିବା ପୁଅ ଥିଲେ।
ସତ୍ୟବାନଙ୍କ ଗୁଣ ଓ ସରଳ ଜୀବନ ଦେଖି ସାବିତ୍ରୀ ତାଙ୍କୁ ନିଜ ପତି ଭାବେ ବାଛିଲେ। ସେ ରାଜମହଲକୁ ଫେରି ପିତାଙ୍କୁ ନିଜ ନିଷ୍ପତ୍ତି ବିଷୟରେ କହିଲେ। ସେତେବେଳେ ଋଷି ନାରଦ କହିଲେ ଯେ ସତ୍ୟବାନଙ୍କ ଆୟୁ ଆଉ ମାତ୍ର ଏକ ବର୍ଷ ଅଛି । ତଥାପି ସାବିତ୍ରୀ ନିଜ ନିଷ୍ପତ୍ତି ବଦଳାଇଲେ ନାହିଁ । ସେ ସତ୍ୟବାନଙ୍କୁ ହିଁ ବିବାହ କରିବେ ବୋଲି ଦୃଢ଼ ରହିଲେ।
ପରେ ସାବିତ୍ରୀ ଓ ସତ୍ୟବାନଙ୍କ ବିବାହ ହେଲା। ବିବାହ ପରେ ସାବିତ୍ରୀ ରାଜପ୍ରାସାଦର ସୁଖସୁବିଧା ଛାଡ଼ି ସ୍ୱାମୀଙ୍କ ସହ ଜଙ୍ଗଲରେ ରହିବାକୁ ଲାଗିଲେ। ସେ ନିଜ ଶାଶୁ ଓ ଶ୍ୱଶୁରଙ୍କ ସେବା କରୁଥିଲେ ଏବଂ ସରଳ ଜୀବନ ବିତାଉଥିଲେ।
ଏକ ବର୍ଷ ପୂର୍ଣ୍ଣ ହେବାର ତିନି ଦିନ ପୂର୍ବରୁ ସାବିତ୍ରୀ ବ୍ରତ ରଖିଲେ। ଯେଉଁ ଦିନ ସତ୍ୟବାନଙ୍କ ଆୟୁ ଶେଷ ହେବାକୁ ଥିଲା, ସେଦିନ ସତ୍ୟବାନ ଜଙ୍ଗଲକୁ କାଠ ଓ ଫଳ ଆଣିବାକୁ ଯାଇଥିଲେ। ସାବିତ୍ରୀ ମଧ୍ୟ ତାଙ୍କ ସହ ଯାଇଥିଲେ। ଜଙ୍ଗଲରେ ସତ୍ୟବାନ ଅସୁସ୍ଥ ହୋଇ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ଶେଷ ନିଶ୍ୱାସ ତ୍ୟାଗ କଲେ।
ସାବିତ୍ରୀ ନିଜ ସ୍ୱାମୀଙ୍କ ଶରୀରକୁ କୋଳରେ ଧରି ସେଠାରେ ବସି ରହିଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବନ ନେବାକୁ ଆସିଥିଲେ, କିନ୍ତୁ ସାବିତ୍ରୀଙ୍କ ପତିଭକ୍ତି ଆଗରେ ସେମାନେ ସଫଳ ହୋଇପାରିଲେ ନାହିଁ। ଶେଷରେ ଯମରାଜ ନିଜେ ଆସି ସତ୍ୟବାନଙ୍କ ଜୀବନ ନେଇ ଚାଲିଗଲେ। ସାବିତ୍ରୀ ମଧ୍ୟ ଯମରାଜଙ୍କ ପଛେ ପଛେ ଚାଲିଲେ। ସାବିତ୍ରୀଙ୍କ ଅତୁଟ ପତିଭକ୍ତି ଓ ଧୈର୍ଯ୍ୟ ଦେଖି ଯମରାଜ ଖୁସି ହୋଇ ତାଙ୍କୁ ତିନୋଟି ବର ମାଗିବାକୁ କହିଲେ। କିନ୍ତୁ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି ।
ଏହା ପରେ ସାବିତ୍ରୀ ଯମରାଜଙ୍କୁ ତିନୋଟି ବର ମାଗିଥିଲେ । ପ୍ରଥମେ ସେ ନିଜ ଶ୍ୱଶୁରଙ୍କ ଚକ୍ଷୁ ଓ ହରାଇଥିବା ରାଜ୍ୟ ଫେରାଇବାକୁ କହିଲେ । ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ପୁତ୍ର ସନ୍ତାନ ଚାହିଁଲେ । ତୃତୀୟ ବରରେ ସେ ନିଜ ଗର୍ଭରୁ ଶତପୁତ୍ର ପାଇବାର ଆଶୀର୍ବାଦ ମାଗିଲେ । ଯମରାଜ “ତଥାସ୍ତୁ” କହି ସମସ୍ତ ବର ଦେଇ ଫେରିଯିବାକୁ କହିଲେ । ସେତେବେଳେ ସାବିତ୍ରୀ ବୁଦ୍ଧିମତାର ସହିତ ପଚାରିଲେ, “ସ୍ୱାମୀ ସତ୍ୟବାନ ନଥିଲେ ମୁଁ କିପରି ଶତପୁତ୍ରର ମା’ ହେବି ?” ସାବିତ୍ରୀଙ୍କ କଥାରେ ଯମରାଜ ନିରୁତ୍ତର ହୋଇ ସତ୍ୟବାନଙ୍କୁ ପୁନର୍ଜୀବନ ଦେଇ ତାଙ୍କୁ ଆୟୁଦାନ କରିଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
