Explore

Search

May 16, 2026 7:29 pm

ଓଲିଉଡ ଉନ୍ନତି ପାଇଁ ଅର୍ଥ ସାଜିବନି ବାଧକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂଆ ଦିଗ ଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଖୁବଶୀଘ୍ର ରାଜ୍ୟରେ ନୂତନ ‘ଚଳଚ୍ଚିତ୍ର ନୀତି’ ଲାଗୁ ହେବା ସହ ଓଡ଼ିଆ ସିନେମାର ପୁନରୁଦ୍ଧାର ଉପରେ ଜୋର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ସଂସ୍କୃତି ଭବନରେ ଆୟୋଜିତ ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ, ଅଭିନେତା ଓ ସିନେ କର୍ମୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବିସ୍ତୃତ ମନ୍ଥନ କରିଥିଲେ ।

ଆଲୋଚନା ସମୟରେ ଚଳଚ୍ଚିତ୍ର ଶିଳ୍ପ ସମ୍ମୁଖୀନ ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ଅଭାବ, ପ୍ରଶିକ୍ଷଣ ବ୍ୟବସ୍ଥା ଓ ନୂତନ ପିଢ଼ୀର କଳାକାରମାନଙ୍କ ପାଇଁ ସୁଯୋଗ ସୃଷ୍ଟି ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ହେଉଛି ଓଡ଼ିଆ ଜାତିର ସଂସ୍କୃତି, ଭାବନା, ପରମ୍ପରା ଓ ଅସ୍ମିତାର ଦର୍ପଣ । ଯେଉଁ ସମାଜ ନିଜ ସଂସ୍କୃତିକୁ ସିନେମା ମାଧ୍ୟମରେ ସଫଳଭାବେ ପ୍ରକାଶ କରିପାରେ, ସେହି ସମାଜ ବିଶ୍ୱ ମଞ୍ଚରେ ନିଜ ପରିଚୟକୁ ଆହୁରି ସୁଦୃଢ଼ କରିପାରେ ।

ସେ ଆହୁରି କହିଥିଲେ ଯେ, ଓଡ଼ିଆ ସିନେମାକୁ ଅନ୍ୟ ଭାଷାର ଚଳଚ୍ଚିତ୍ରର ନକଲ କରିବା ପରିବର୍ତ୍ତେ ନିଜସ୍ୱ କାହାଣୀ ଓ ସ୍ୱରକୁ ଆଗକୁ ଆଣିବାକୁ ପଡ଼ିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, କଳିଙ୍ଗର ସମୁଦ୍ର ବାଣିଜ୍ୟ ଇତିହାସ, ଆଦିବାସୀ ଜୀବନଶୈଳୀ, ଗ୍ରାମ୍ୟ ଓଡ଼ିଶାର ସଂଘର୍ଷ ଓ ଭାବନା, ବନ୍ୟା-ବାତ୍ୟା ସମୟରେ ଲୋକଙ୍କ ସାହସିକ କାହାଣୀ, ମହାନଦୀ କୂଳର ଜନଜୀବନ ଭଳି ଅନେକ ମୌଳିକ ବିଷୟ ଓଡ଼ିଆ ସିନେମାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇପାରିବ ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ରାଜ୍ୟରେ ଏକ ଆଧୁନିକ ଫିଲ୍ମ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ସ୍ଥାପନ କରାଯିବ, ଯେଉଁଠାରେ ଯୁବପୀଢ଼ି ଚଳଚ୍ଚିତ୍ର ନିର୍ମାଣ, ଅଭିନୟ, ନିର୍ଦ୍ଦେଶନା, ଟେକ୍ନୋଲୋଜି ଓ ସିନେମା ସମ୍ବନ୍ଧୀୟ ବିଭିନ୍ନ କୌଶଳର ପ୍ରଶିକ୍ଷଣ ପାଇପାରିବେ । ସେହିପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଉନ୍ନତି ପାଇଁ ଅର୍ଥ କେବେ ବାଧକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୨୦୩୬ରେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ରାଜ୍ୟର ସଂସ୍କୃତିକ ପରିଚୟକୁ ଦେଶ ଓ ବିଦେଶରେ ପହଞ୍ଚାଇବାରେ ବଡ଼ ଭୂମିକା ନେବ ।

କାର୍ଯ୍ୟକ୍ରମରେ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅଭିନେତା ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନେକ ସିନେ କଳାକାର ଓ ଟେକ୍ନିସିଆନ ଉପସ୍ଥିତ ଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score