Explore

Search

May 16, 2026 8:03 pm

ଇନ୍ଧନ ଅଭାବକୁ ନେଇ ମହିଳା କଂଗ୍ରେସର ତୀବ୍ର ପ୍ରତିବାଦ : ଗାଡ଼ି ଠେଲି ପେଟ୍ରୋଲ ଟାଙ୍କିରେ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ଇନ୍ଧନ ସମସ୍ୟା, ତେଲ ଟାଙ୍କିରେ ତେଲ ଅଭାବ ଓ କ୍ଷୀର ଦର ବୃଦ୍ଧିକୁ ନେଇ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ରାଜଧାନୀରେ ବିଶାଳ ପ୍ରତିବାଦ କରାଯାଇଛି । ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ନିର୍ଦ୍ଦେଶରେ ଗତକାଲି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରେୟା ମହାନ୍ତିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା।

ପେଟ୍ରୋଲ, ଡିଜେଲ, ଗ୍ୟାସ ଓ କ୍ଷୀର ଦର ବୃଦ୍ଧିକୁ ବିରୋଧ କରି ମହିଳାମାନେ ଭୁବନେଶ୍ୱର ୨ ନମ୍ବର ତେଲ ଟାଙ୍କି ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ ତେଲ ନଥିବା ଦୁଇଚକିଆ ଗାଡ଼ିକୁ ଠେଲି ଠେଲି ଟାଙ୍କି ପର୍ଯ୍ୟନ୍ତ ନେଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା।

ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରେୟା ମହାନ୍ତି କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ୁଥିବାରୁ ସାଧାରଣ ଲୋକ ଅସହାୟ ହୋଇପଡ଼ିଛନ୍ତି। କ୍ଷୀର ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀର ଦର ମଧ୍ୟ ବଢ଼ିବାରୁ ଘରୋଇ ଖର୍ଚ୍ଚ ଉପରେ ଅଧିକ ଭାର ପଡ଼ୁଛି। ସେ କହିଛନ୍ତି, ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲ ଦର ଅନେକ କମ୍ ଥିଲା, କିନ୍ତୁ ବର୍ତ୍ତମାନ ଦର ୧୦୦ ଟଙ୍କା ଛୁଇଁଯାଇଛି।

ତାଙ୍କ ଅଭିଯୋଗ ଅନୁସାରେ, ରାଜ୍ୟରେ ଅନେକ ତେଲ ଟାଙ୍କି ବନ୍ଦ ରହୁଥିବାରୁ ଲୋକମାନେ ଭୟ ଓ ଅସୁବିଧାରେ ପଡ଼ୁଛନ୍ତି। ତେଲ ଅଭାବର ପ୍ରଭାବ ଖୁବଶୀଘ୍ର ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ପଡ଼ିବ ଏବଂ ବଜାର ଦର ଆହୁରି ବଢ଼ିପାରେ। ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ଓ ରାଜ୍ୟ ସରକାର କର କମାଇ ସାଧାରଣ ଲୋକଙ୍କୁ ରାହତ ଦେବାକୁ ସେ ଦାବି କରିଛନ୍ତି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ବଢ଼ୁଥିବା କୁହାଯାଉଛି। ଏହାର ପ୍ରଭାବରେ ରନ୍ଧନ ଗ୍ୟାସ ଓ ଇନ୍ଧନ ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେଇଛି। ଗତ କିଛି ଦିନ ଧରି ଭୁବନେଶ୍ୱରର ବିଭିନ୍ନ ତେଲ ଟାଙ୍କିରେ ଲମ୍ବା ଲାଇନ ଓ ଭିଡ଼ ଦେଖିବାକୁ ମିଳୁଥିବାବେଳେ କିଛି ଟାଙ୍କି ବନ୍ଦ ରହିଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score