Explore

Search

May 16, 2026 8:05 pm

ତନ୍ତ-ଅରଟ ଚଖା ସହ ଆମ ସଂସ୍କୃତିର ଝଲକ ‘ମେହେରମୁଣ୍ଡା’

ଭୁବନେଶ୍ୱର : ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’। ବୁଣାକାରଙ୍କ ଜୀବନ ସଂଘର୍ଷ, ପରିଶ୍ରମ ଓ ସ୍ୱପ୍ନକୁ ଆଧାର କରି ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଥମ ପ୍ରଦର୍ଶନ କେଶରୀ ପ୍ରେକ୍ଷାଳୟରେ ହୋଇଥିଲା। ମୁକ୍ତି ପୂର୍ବରୁ ବୁଣାକାରମାନେ ଏହି ଚଳଚ୍ଚିତ୍ର ଦେଖି ନିଜ ଜୀବନର ଯନ୍ତ୍ରଣା, ପରିଶ୍ରମ ଓ ଆତ୍ମସମ୍ମାନର କାହାଣୀ ପରଦାରେ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ।

ଚଳଚ୍ଚିତ୍ରରେ ବୁଣାକାରଙ୍କ ସୁକ୍ଷ୍ମ କାରିଗରୀ, ଅନବରତ ପରିଶ୍ରମ ଓ ସମାଜରେ ସେମାନଙ୍କ ଅବଦାନକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି। ପ୍ରଥମ ପ୍ରଦର୍ଶନୀରେ ତନ୍ତଶିଳ୍ପ ସହ ବାନ୍ଧଶାଢ଼ୀର ଅପୂର୍ବ କଳାକୃତି ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଗରିମାମୟ ହସ୍ତଶିଳ୍ପର ଚିତ୍ରକୁ ଆଉ ଅଧିକ ସୁନ୍ଦର କରିଥିଲା।

ପ୍ରଥମ ଦିନରୁ ହିଁ ପ୍ରେକ୍ଷାଳୟ ଦର୍ଶକରେ ଠସେଇ ହୋଇଥିବା ବେଳେ ଚଳଚ୍ଚିତ୍ରର କାହାଣୀ ଲୋକଙ୍କ ହୃଦୟକୁ ଛୁଇଁପାରିଛି। ଦର୍ଶକମାନେ କହିଛନ୍ତି, ଏହି ଚଳଚ୍ଚିତ୍ର କେବଳ ମନୋରଞ୍ଜନ ନୁହେଁ, ବରଂ ଆମ ମାଟିର କଳାକାର ଓ ବୁଣାକାରଙ୍କ ଜୀବନ ସତ୍ୟକୁ ସମ୍ମୁଖରେ ଆଣିଛି।

ଚଳଚ୍ଚିତ୍ର ଦେଖିବାକୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ। ସେମାନେ କହିଛନ୍ତି, ଓଡ଼ିଆ ବସ୍ତ୍ର ପରମ୍ପରା ଓ ବୁଣାକାରଙ୍କ ଅସ୍ତିତ୍ୱକୁ ଏଭଳି ଚଳଚ୍ଚିତ୍ର ନୂଆ ପରିଚୟ ଦେବ।

ଅଭିନେତା ଜ୍ୟୋତି କହିଛନ୍ତି, “ଏହି ଚଳଚ୍ଚିତ୍ର କେବଳ କଳାର କଥା କୁହୁନି, ବରଂ ବୁଣାକାରଙ୍କ ନ୍ୟାୟସଂଗତ ପାରିଶ୍ରମିକ ଓ ସମ୍ମାନ ପାଇଁ ହେଉଥିବା ସଂଘର୍ଷକୁ ମଧ୍ୟ ଉପସ୍ଥାପନ କରୁଛି। ଗୋଟିଏ ଶାଢ଼ୀ ପଛରେ କେତେ ଘାମ ଓ କଷ୍ଟ ଲୁଚିଥାଏ, ତାହାକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବାର ଚେଷ୍ଟା କରିଛୁ।”

ସେ ଆହୁରି କହିଛନ୍ତି, “ଏହି କାହାଣୀ ଗାଁ ଗାଁ ଓ ଘରେ ଘରେ ପହଞ୍ଚିବା ଦରକାର। ଲୋକମାନେ ବୁଣାକାରଙ୍କ ପରିଶ୍ରମ ଓ ତ୍ୟାଗ ବିଷୟରେ ଜାଣିବା ଆବଶ୍ୟକ। ଆମର ଆଶା, ଏହି ଚଳଚ୍ଚିତ୍ର ବୁଣାକାରଙ୍କ ହିତରେ ସକାରାତ୍ମକ ପରିବର୍ତ୍ତନ ଆଣିବ।”

‘ମେହେରମୁଣ୍ଡା’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅର୍ଲିନ ଅଙ୍କିତା ଅଭିନୟ କରିଛନ୍ତି। ଜ୍ୟୋତିଙ୍କୁ ଏଥିରେ ଜଣେ ବୁଣାକାରର ଭିନ୍ନ ଓ ଭାବପ୍ରବଣ ଚରିତ୍ରରେ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ଚରିତ୍ରରେ ରାକେଶ କୁମାର ପାଢ଼ୀ ଓ ସୁଶାନ୍ତ ଦାସ ମହାପାତ୍ର ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ରାକେଶ କୁମାର ପାଢ଼ୀ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିକୁଞ୍ଜ ହୋତା ଓ ଚିତ୍ରଗ୍ରହଣରେ ଶ୍ରୀକାନ୍ତ ପଟ୍ଟନାୟକ। ସଙ୍ଗୀତରେ ଅମିତ ଯୁବରାଜ ଚଳଚ୍ଚିତ୍ରକୁ ଆଉ ଅଧିକ ଭାବପ୍ରବଣ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score