ଗଞ୍ଜାମ : ଓଡ଼ିଶାର ନାରୀ ଶକ୍ତିକୁ ଆର୍ଥିକ, ସାମାଜିକ ଓ ଆତ୍ମନିର୍ଭରତାର ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଗଞ୍ଜାମରେ ଆୟୋଜିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ‘ସୁଭଦ୍ରା ଶକ୍ତି ସମାବେଶ’। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ମହିଳାଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଏକ ଐତିହାସିକ ମହାସମାବେଶରେ ପରିଣତ କରିଥିଲା। ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ, ନେତୃତ୍ୱ ବିକାଶ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏହି ଅବସରରେ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଇଭରେ ଯୋଗଦେଇ ସୁଭଦ୍ରା ଶକ୍ତି ସମାବେଶକୁ ସମ୍ବୋଧନ କରିଥିଲେ। ଏହାସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାବଲମ୍ବୀ ମହିଳାମାନଙ୍କ ଉଦ୍ୟମ, ପରିଶ୍ରମ ଓ ସଫଳତାକୁ ପ୍ରଶଂସା କରିଥିଲେ। ଏଥିସହ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ପରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମହିଳାମାନେ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଓ ମହିଳା ସଶକ୍ତିକରଣ ପଦକ୍ଷେପ ଯୋଗୁଁ ସେମାନେ ଆଜି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ।
ଏହାପରେ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ କାର୍ଯ୍ୟକ୍ରମ ଆଗକୁ ନେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ସୁଭଦ୍ରା ଶକ୍ତି ସମାବେଶ” କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ନାରୀ ଶକ୍ତିର ସାମର୍ଥ୍ୟ, ସଫଳତା ଓ ସଂକଳ୍ପର ଏକ ବିଶାଳ ମଞ୍ଚ। ଏହି ସମାବେଶ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭର ହେବା, ସ୍ୱରୋଜଗାର ସୃଷ୍ଟି କରିବା, ଡିଜିଟାଲ ମାଧ୍ୟମର ବ୍ୟବହାର ବଢ଼ାଇବା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ପ୍ରେରିତ କରାଯାଉଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ଆଜି ଗ୍ରାମୀଣ ଅର୍ଥନୀତିର ମୁଖ୍ୟ ଶକ୍ତି ଭାବେ ଉଭା ହୋଇଛନ୍ତି।
ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମଧ୍ୟରେ ‘ସୁଭଦ୍ରା ଯୋଜନା’ ଏକ ଐତିହାସିକ ପଦକ୍ଷେପ ଭାବେ ଉଭା ହୋଇଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ମହିଳାଙ୍କୁ ପାଞ୍ଚ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହା ମହିଳାଙ୍କ ଆର୍ଥିକ ସୁରକ୍ଷା ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର ଜୀବନଯାପନ ପାଇଁ ସହାୟତା କରୁଛି। ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ବ୍ୟବସାୟ ଏବଂ ଗ୍ରାମୀଣ ଉଦ୍ୟମିତା କ୍ଷେତ୍ରରେ ମହିଳାଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି।
ସେହିପରି ନାରୀ ସଶକ୍ତିକରଣ ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ମୂଳ ଆଧାର। ନାରୀଙ୍କ ଶକ୍ତି, ଦକ୍ଷତା ଓ ଆତ୍ମବିଶ୍ୱାସକୁ ସାଥୀ କରି ଓଡ଼ିଶା ଆଗାମୀ ଦିନରେ ବିକାଶର ଏକ ନୂଆ ଇତିହାସ ରଚନା କରିବ ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା।
ଏହି ସମାବେଶରେ “ଲକ୍ଷପତି ଦିଦି” ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କୃଷି, ପଶୁପାଳନ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ କୁଟୀର ଶିଳ୍ପ ମାଧ୍ୟମରେ ହଜାର ହଜାର ମହିଳାଙ୍କୁ ଲକ୍ଷପତି ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା କୁହାଯାଇଥିଲା। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରାଯାଇଥିଲା।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
