Explore

Search

July 2, 2026 4:23 am

ଓଡିଶାର ଗର୍ବ ଗଞ୍ଜାମର ସୀମାଞ୍ଚଳ ପାତ୍ର

ବ୍ରହ୍ମପୁର : କେତେକ କାହାଣୀ ଏମିତି ଥାଏ, ଯାହା ଶୁଣିଲେ ମନେ ହୁଏ ଜୀବନରେ ସବୁଠୁ ବଡ଼ ପାଥେୟ ଟଙ୍କା ପଇସା ନୁହେଁ, ଏକ ଅଦମ୍ୟ ଇଚ୍ଛା ଓ କଳା ପ୍ରତି ଥିବା ପ୍ରକୃତ ଭଲପାଇବା। ଗଞ୍ଜାମର ସୀମାଞ୍ଚଳ ପାତ୍ରଙ୍କ ଜୀବନ ଠିକ୍ ସେହିପରି ଏକ କାହାଣୀ।

୧୯୨୭ ମସିହା ଜୁଲାଇ ୭ ତାରିଖ । ଦିଗପହଣ୍ଡି ବ୍ଲକର ବମକୋଇ ଗାଁରେ ଏକ ଗରିବ କୃଷକ ଘରେ ଜନ୍ମ ନେଇଥିଲେ ସୀମାଞ୍ଚଳ। ପିଲାଟି ଦିନରୁ ଅଭାବ ଦେଖି ଆସିଥିବା ମଣିଷଟି ଆଜି ସବୁଠି ଚର୍ଚ୍ଚାରେ। ମାତ୍ର ୯-୧୦ ବର୍ଷ ବୟସରେ ଘର ଚଳାଇବାକୁ ସାହାଯ୍ୟ କରିବା ପାଇଁ ଛେଳି ଚରାଉଥିଲେ। କିନ୍ତୁ ମନ ଭିତରେ କିଛି ଅଲଗା ନିଷ୍ପତି ଥିଲା।

ଗାଁରେ ହେଉଥିବା ପ୍ରହଲ୍ଲାଦ ନାଟକ ତାଙ୍କୁ ଏମିତି ପାଗଳ କରିଦେଇଥିଲା ଯେ ସେ ନିଜକୁ ସେହି କଳାରେ ହିଁ ପୂରାପୂରି ଛାଡ଼ିଦେଇଥିଲେ । ଏପରିକି ଏଥିପାଇଁ ପୈତୃକ ସମ୍ପତ୍ତି ମଧ୍ୟ ବିକ୍ରି କରିଦେଇଥିଲେ ବୋଲି କୁହାଯାଏ।
ପ୍ରଥମେ ବାଦ୍ୟଯନ୍ତ୍ର ବଜାଇବା, ଛୋଟମୋଟ ଚରିତ୍ର ନେଇ ଆରମ୍ଭ ହୋଇଥିଲା ତାଙ୍କ ପଥ। ପରେ ଆସିଲା ହିରଣ୍ୟକଶ୍ୟପ ଚରିତ୍ର, ଆଉ ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ଏକ ଚମତ୍କାର ଅଧ୍ୟାୟ।

ତାଙ୍କ ଗମ୍ଭୀର ସ୍ୱର, ଭାବପୂର୍ଣ୍ଣ ମୁଦ୍ରା ଦେଖି ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ। ୧୨ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବା ନାଟକରେ ଅବିରତ ଅଭିନୟ, ୩୫ରୁ ଅଧିକ ରାଗ ଓ ଶହେରୁ ଅଧିକ ଗୀତ ଏହା କେବଳ ପେଶା ନୁହେଁ, ଏକ ସାଧନା ଥିଲା ତାଙ୍କ ପାଇଁ ।

ମାତ୍ର ଅଭିନୟ କରି ସେ ଥମିଗଲେ ନାହିଁ । ଗାଁ ଗାଁ ବୁଲି ଆଖଡ଼ା ଖୋଲି ନୂଆ ପିଢ଼ିକୁ ଏହି କଳା ଶିଖାଇବାରେ ଲାଗିଥିଲେ, ଯାହା ଫଳରେ ଆଜି ମଧ୍ୟ ପ୍ରହଲ୍ଲାଦ ନାଟକ ପରମ୍ପରା ଜୀବନ୍ତ ଅଛି। ଏହି ଦୀର୍ଘ ସାଧନାର ସ୍ୱୀକୃତି ସ୍ୱରୂପ ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସେ ପାଇଲେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ।

ରାଷ୍ଟ୍ରପତି ଭବନରେ ସେହି ମୁହୂର୍ତ୍ତରେ ଗଞ୍ଜାମ ଠାରୁ ଆରମ୍ଭ କରି ସମଗ୍ର ଓଡ଼ିଶା ଗର୍ବରେ ଉଜ୍ଜ୍ୱଳ ହୋଇଉଠିଥିଲା।
ପଦ୍ମଶ୍ରୀ ପୂର୍ବରୁ ମଧ୍ୟ ସମ୍ମାନ କମ୍ ମିଳି ନାହିଁ ତାଙ୍କୁ । ୧୯୯୦ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ଆଉ ୨୦୨୪ରେ ଗୁରୁ ଗଙ୍ଗାଧର ଦାସ ସ୍ମୃତି ସମ୍ମାନ।

ଆଜି ୯୮ ବର୍ଷ ବୟସରେ ମଧ୍ୟ ସେହି ଉତ୍ସାହ, ସେହି କଳାପ୍ରେମ ସେମିତି ହିଁ ଅଛି। ଛେଳି ଚରାଉଥିବା ଏକ ଛୋଟ ପିଲାଟି ଆଜି ଏକ ପ୍ରେରଣା ପାଲଟିଛନ୍ତି । ଏହା ପ୍ରମାଣ କରେ, ଦୃଢ଼ ମନ ଓ ନିଷ୍ଠା ଥିଲେ କୌଣସି ଅଭାବ, କୌଣସି ପରିସ୍ଥିତି ସ୍ବପ୍ନକୁ ଅଟକାଇ ପାରେ ନାହିଁ। ସୀମାଞ୍ଚଳ ପାତ୍ର କେବଳ ଗଞ୍ଜାମର ନୁହେଁ, ସମଗ୍ର ଓଡ଼ିଶାର ଗର୍ବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score