Explore

Search

August 14, 2026 5:08 pm

ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା : ଗୁଜରାଟ ଯୋଜନାରେ ଲାଗିଲା ବ୍ରେକ୍

ଭାରତୀୟ କ୍ରିକେଟର ଏବଂ ଆଇପିଏଲ୍‌ର ଅନ୍ୟତମ ଚର୍ଚ୍ଚିତ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ପୁଣିଥରେ ଆଲୋଚନା ଜୋର ଧରିଛି । ଗତ କିଛିଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ତାଙ୍କ ସମ୍ପର୍କ ଏବଂ ଦଳର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ, ଆଗାମୀ ଆଇପିଏଲ୍‌ ପୂର୍ବରୁ ସେ ନୂଆ ଦଳ ଖୋଜୁଥିବା ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ବଢିଛି।
ସୂଚନା ଅନୁସାରେ, ହାର୍ଦ୍ଦିକ ପୁଣିଥରେ ଗୁଜରାଟ ଟାଇଟନ୍ସକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଗୁଜରାଟ ଟାଇଟନ୍ସର ପ୍ରଥମ ଅଧିନାୟକ ଭାବେ ସେ ଦଳକୁ ୨୦୨୨ ମସିହାରେ ଚାମ୍ପିଅନ୍ କରାଇଥିଲେ ଏବଂ ୨୦୨୩ରେ ଫାଇନାଲ‌ ପର୍ଯ୍ୟନ୍ତ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ। ସେହି ସଫଳତା ହାର୍ଦ୍ଦିକଙ୍କୁ କେବଳ ଜଣେ ଦକ୍ଷ ଅଲରାଉଣ୍ଡର ନୁହେଁ, ବରଂ ଜଣେ ସଫଳ ନେତା ଭାବେ ମଧ୍ୟ ପରିଚିତ କରାଇଥିଲା।

ତେବେ ଗୁଜରାଟକୁ ଫେରିବା ପଥ ଏତେ ସହଜ ହୋଇନାହିଁ। ହାର୍ଦ୍ଦିକ ଦଳକୁ ଫେରିବା ସହ ଅଧିନାୟକତ୍ୱ ମଧ୍ୟ ଚାହୁଁଥିଲେ। କିନ୍ତୁ ଗୁଜରାଟ ଟାଇଟନ୍ସ ପରିଚାଳନା ପକ୍ଷରୁ ବର୍ତ୍ତମାନର ଅଧିନାୟକ ଶୁଭମନ ଗିଲ୍‌ଙ୍କ ଉପରେ ଆସ୍ଥା ଜାରି ରହିଛି । ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ନେତୃତ୍ୱ ନେଉଥିବା ଗିଲ‌ଙ୍କୁ ଦଳର ଦୀର୍ଘମିଆଦି ନେତା ଭାବେ ଦେଖାଯାଉଛି।

ଏହି କାରଣରୁ ହାର୍ଦ୍ଦିକଙ୍କୁ ଜଣେ ବରିଷ୍ଠ ଓ ଅଭିଜ୍ଞ ଖେଳାଳି ଭାବେ ଦଳରେ ସ୍ଥାନ ଦେବାକୁ ଚାହୁଁଥିଲେ ମଧ୍ୟ ଅଧିନାୟକ ପଦ ଦେବାକୁ ଜିଟି ପ୍ରସ୍ତୁତ ନଥିବା କୁହାଯାଉଛି।

ଏହି ପରିସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ସମ୍ମତି ହୋଇନଥିବାରୁ ହାର୍ଦ୍ଦିକଙ୍କ ଗୁଜରାଟ ଫେରା ଯୋଜନାରେ ବଡ଼ ଧରଣର ବାଧା ସୃଷ୍ଟି ହୋଇଛି। ଫଳରେ ଏବେ ସେ ଅନ୍ୟ ବିକଳ୍ପ ଖୋଜୁଥିବା ଚର୍ଚ୍ଚା ଚାଲିଛି।
ଏହି ତାଲିକାରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସର ନାମ ଆଗରେ ରହିଛି। ସେହିପରି ଲକ୍ଷ୍ନୌ ଦଳର ନିରାଶାଜନକ ପ୍ରଦର୍ଶନ ପରେ ଋଷଭ ପନ୍ତ ନେତୃତ୍ୱ ଛାଡ଼ିଥିବାରୁ ସେଠାରେ ମଧ୍ୟ ନୂଆ ନେତା ଖୋଜା ଚାଲିଛି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଭଳି ଜଣେ ଅଭିଜ୍ଞ ଅଲ୍‌ରାଉଣ୍ଡର ଓ ଅଧିନାୟକ ଉଭୟ ଦଳ ପାଇଁ ଆକର୍ଷଣୀୟ ବିକଳ୍ପ ହୋଇପାରନ୍ତି।

ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକଙ୍କ ଦ୍ୱିତୀୟ ଇନିଂସ‌ ଆଶାଅନୁଯାୟୀ ସଫଳ ହୋଇନାହିଁ । ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଦଳର ଅଧିନାୟକ କରାଯାଇଥିଲା । ଏହି ନିଷ୍ପତ୍ତିକୁ ନେଇ ସେତେବେଳେ ପ୍ରଶଂସା ସହ ସମାଲୋଚନା ମଧ୍ୟ ହୋଇଥିଲା। ହେଲେ ତାଙ୍କ ନେତୃତ୍ୱରେ ଦଳ ୨୦୨୪ରେ ତାଲିକାର ଶେଷ ସ୍ଥାନରେ ରହିଥିଲା।

୨୦୨୫ରେ ମୁମ୍ବାଇ ପ୍ଲେଅଫ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ, ୨୦୨୬ରେ ପୁଣି ଦଳର ପ୍ରଦର୍ଶନ ଖରାପ ହୋଇ ନବମ ସ୍ଥାନରେ ଅଭିଯାନ ଶେଷ ହୋଇଥିଲା।

ବ୍ୟକ୍ତିଗତ ଭାବେ ମଧ୍ୟ ଗତ ସିଜିନରେ ହାର୍ଦ୍ଦିକଙ୍କ ପାଇଁ ସ୍ମରଣୀୟ ରହିନଥିଲା। ୧୦ଟି ମ୍ୟାଚ୍‌ରେ ସେ ମାତ୍ର ୨୦୬ ରନ୍‌ କରିଥିବା ବେଳେ ବୋଲିଂରେ କେବଳ ୪ଟି ୱିକେଟ‌ ନେଇପାରିଥିଲେ। ଜଣେ ଅଲ୍‌ରାଉଣ୍ଡର ଭାବେ ତାଙ୍କଠାରୁ ଯେଉଁ ପ୍ରଦର୍ଶନ ଆଶା କରାଯାଏ, ସେଥିରୁ ଏହା ବହୁତ ଦୂରରେ ଥିଲା।

ଏବେ ଦେଖିବାକୁ ବାକି ରହିଲା ଆଗାମୀ ଆଇପିଏଲ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଦଳରେ ନିଜର ନୂଆ ଅଧ୍ୟାୟ ଆରମ୍ଭ କରନ୍ତି। ତାଙ୍କ ଅନୁଭବ, ନେତୃତ୍ୱ କ୍ଷମତା ଏବଂ ମ୍ୟାଚ୍‌ ବଦଳାଇବାର ଦକ୍ଷତାକୁ ଦେଖି ଅନେକ ଦଳ ତାଙ୍କ ଉପରେ ନଜର ରଖିଥିବା ବେଳେ, ଆଗାମୀ ଦିନରେ ତାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆହୁରି ବଢିବା ସମ୍ଭାବନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score