Explore

Search

August 26, 2026 11:28 am

ସ୍ମାର୍ଟ ଭିଲେଜ ମିଶନ : ୨୦୨୯ ସୁଦ୍ଧା ବଦଳିବ ଓଡ଼ିଶାର ଗାଁ ଚିତ୍ର

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳକୁ ଆଧୁନିକ ସୁବିଧାରେ ସଜାଇବା ପାଇଁ ରାଜ୍ୟ ସରକାର ଏକ ବୃହତ ପଦକ୍ଷେପ ନେବାକୁ ଯାଉଛନ୍ତି । ସହର ଭଳି ସୁବିଧା ଏବେ ଗାଁରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ‘ସ୍ମାର୍ଟ ଭିଲେଜ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ଏହି ଯୋଜନା ଅନୁଯାୟୀ ୨୦୨୯ ସୁଦ୍ଧା ରାଜ୍ୟର ୬,୭୩୩ଟି ପଞ୍ଚାୟତର ମୁଖ୍ୟ ଗାଁ ଗୁଡ଼ିକୁ ମଡେଲ ଭିଲେଜ ଭାବେ ଉନ୍ନତ କରାଯିବ।

ଏହି ମଡେଲ ଗାଁ ଗୁଡ଼ିକରେ ଉନ୍ନତ ରାସ୍ତା, ଡ୍ରେନେଜ ବ୍ୟବସ୍ଥା, ପାର୍କ, କମ୍ୟୁନିଟି ସେଣ୍ଟର, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ ସୁବିଧା, ଇଣ୍ଟରନେଟ ସଂଯୋଗ ଏବଂ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ। ଗାଁର ସମସ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ ଓ ଜରୁରୀ ସେବା ପହଞ୍ଚିପାରିବା ପାଇଁ ଚଉଡ଼ା ରାସ୍ତା ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ପ୍ରତ୍ୟେକ ଗାଁ ପାଇଁ ଭିନ୍ନ ବିକାଶ ଯୋଜନା

ଗାଁର ଭୌଗୋଳିକ ସ୍ଥିତି, ଜନସଂଖ୍ୟା ଓ ଆବଶ୍ୟକତାକୁ ଆଧାର କରି ବିକାଶ ଯୋଜନା ପ୍ରସ୍ତୁତ ହେବ। ଏଥିପାଇଁ ରାଜ୍ୟସ୍ତରରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହଯୋଗରେ ଗ୍ରାମ ଗୁଡ଼ିକର ଆବଶ୍ୟକତା ଚିହ୍ନଟ କରାଯାଇଛି ଏବଂ ସେହି ଅନୁସାରେ ପ୍ରକଳ୍ପ ରୂପରେଖା ପ୍ରସ୍ତୁତ ହୋଇଛି।

ଗ୍ରାମସଭାରୁ ନିର୍ଦ୍ଧାରଣ ହେବ ବିକାଶର ଦିଗ

ପ୍ରତ୍ୟେକ ମଡେଲ ଗାଁର ବିକାଶ ଯୋଜନା ଗ୍ରାମସଭା ମାଧ୍ୟମରେ ଚୂଡ଼ାନ୍ତ ହେବ। ଗ୍ରାମବାସୀଙ୍କ ମତାମତକୁ ପ୍ରାଥମିକତା ଦିଆଯିବ ଏବଂ ସମସ୍ତ ପ୍ରକ୍ରିୟାର ଡିଜିଟାଲ ରେକର୍ଡ ସଂରକ୍ଷଣ କରାଯିବ। ବିପର୍ଯ୍ୟୟପ୍ରବଣ ଅଞ୍ଚଳ ଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳୀ, ସୁରକ୍ଷିତ ବିଦ୍ୟୁତ ବ୍ୟବସ୍ଥା ଓ ଜଳ ଯୋଗାଣ ଭଳି ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯିବ।

ସ୍ୱଚ୍ଛତା ଓ ଡିଜିଟାଲ ସେବାକୁ ପ୍ରାଥମିକତା

ଗାଁରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା ପାଇଁ ସଫେଇ ଗାଡ଼ି ଚଳାଚଳ କରିବ। ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ। ପ୍ରତ୍ୟେକ ଘରକୁ ଏଲପିଜି ସଂଯୋଗ, ଉଚ୍ଚଗତି ଇଣ୍ଟରନେଟ ଏବଂ ଡିଜିଟାଲ ସେବା ପହଞ୍ଚାଇବା ପାଇଁ ଯୋଜନା ରହିଛି। ଯୁବପିଢ଼ିଙ୍କ ପାଇଁ ଡିଜିଟାଲ ସ୍କିଲ୍ ଟ୍ରେନିଂ ଓ ରୋଜଗାରମୁଖୀ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ହେବ।

ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ଉପରେ ଫୋକସ୍

ପ୍ରତ୍ୟେକ ମଡେଲ ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯିବ। ଟେଲିମେଡିସିନ ସେବା, ଶିଶୁଙ୍କ ଟିକାକରଣର ଡିଜିଟାଲ ରେକର୍ଡ ଓ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ଲାଭ ପ୍ରଦାନ ଉପରେ ନଜର ରହିବ। ସ୍କୁଲରେ ପାଣି, ବିଦ୍ୟୁତ ଓ ଉନ୍ନତ ଶିକ୍ଷା ଭିତ୍ତିଭୂମି ସୃଷ୍ଟି କରାଯିବ। ଏହା ସହ ମାଛଚାଷ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ସ୍ୱୟଂରୋଜଗାର କ୍ଷେତ୍ରରେ ମଧ୍ୟ ସହାୟତା ଯୋଗାଇ ଦିଆଯିବ।

ଗ୍ରାମୀଣ ବିକାଶର ନୂଆ ଅଧ୍ୟାୟ

ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଙ୍କ୍ଷୀ ପଦକ୍ଷେପ ଓଡ଼ିଶାର ଗ୍ରାମାଞ୍ଚଳର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ଭିତ୍ତିଭୂମି, ରୋଜଗାର, ସ୍ୱାସ୍ଥ୍ୟ ଓ ଡିଜିଟାଲ ସେବାର ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନମାନରେ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score