ଭୁବନେଶ୍ୱର : ଭବିଷ୍ୟତରେ କେଉଁ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବେ, କେଉଁ ପାଠ ପଢିଲେ ପିଲାଙ୍କ ଭବିଷ୍ୟତ ସୁନ୍ଦର ଭାବେ ଗଢ଼ିବ ସେନେଇ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏକ ସ୍ୱତନ୍ତ୍ର କ୍ୟାରିୟର ସଚେତନତା ଅଭିଯାନ ଆରମ୍ଭ କରିଛି । ଏହା ଅଧୀନରେ ରାଜ୍ୟର ସମସ୍ତ ହାଇସ୍କୁଲରେ ନିୟମିତ ଭାବେ କ୍ୟାରିୟର ସମ୍ପର୍କିତ ଅନଲାଇନ ସେସନ ଆୟୋଜନ କରାଯିବ।
ପ୍ରତି ମାସର ଦୁଇଟି ନିର୍ଦ୍ଧାରିତ ଶନିବାର ଦିନ ଛାତ୍ରଛାତ୍ରୀ ବିଭିନ୍ନ ପେସା ଓ ଉଚ୍ଚଶିକ୍ଷାର ସୁଯୋଗ ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ତଥ୍ୟ ପାଇବେ। ଏହି ଅଭିଯାନରେ ପ୍ରଶାସନିକ ସେବା, ଆଇନ ପ୍ରୟୋଗକାରୀ ସଂସ୍ଥା, ସ୍ୱାସ୍ଥ୍ୟ, କୃଷି, ହୋଟେଲ ଶିଳ୍ପ, ବ୍ୟାଙ୍କିଙ୍ଗ୍, ଗଣମାଧ୍ୟମ, ଅକ୍ଷୟ ଶକ୍ତି ଓ ଧନ୍ଦାମୂଳକ ଶିକ୍ଷା ଭଳି ଅନେକ କ୍ଷେତ୍ରକୁ ସାମିଲ କରାଯାଇଛି ।
ଓସେପାର ଯୋଜନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ମୋଟ ୨୧ଟି ବିଷୟ ଉପରେ ୱେବିନାର ଆୟୋଜନ ହେବ। ପ୍ରଥମ ସେସନରେ ଛାତ୍ରଛାତ୍ରୀଙ୍କୁ ନିଜର ରୁଚି, କ୍ଷମତା ଓ ଲକ୍ଷ୍ୟ ଅନୁଯାୟୀ କ୍ୟାରିୟର ଚୟନ କରିବାର କୌଶଳ ସମ୍ପର୍କରେ ଜଣାଇ ଦିଆଯିବ।
ସମସ୍ତ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଇସିଟି ଲ୍ୟାବ୍ ଓ ଡିଜିଟାଲ୍ ସୁବିଧା ମାଧ୍ୟମରେ ଏହି ସେସନ୍ର ଅନଲାଇନ୍ ଲାଇଭ୍ ସେସନ କରାଯିବ। ଯେଉଁ ଛାତ୍ରଛାତ୍ରୀ ଅନଲାଇନ ଲାଇଭ ସେସନରେ ଯୋଗଦେଇପାରିବେ ନାହିଁ, ସେମାନଙ୍କ ପାଇଁ ରେକର୍ଡ ହୋଇଥିବା ଭିଡିଓ ମଧ୍ୟ ଉପଲବ୍ଧ ରହିବ। ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।
ଏହି ୱେବିନାର ଶୃଙ୍ଖଳାରେ ପୋଲିସ ସେବା, ଫୋରେନ୍ସିକ ବିଜ୍ଞାନ, ସାମ୍ବାଦିକତା, ହସ୍ପିଟାଲିଟି, ସୋଲାର ଟେକ୍ନୋଲୋଜି, କୃଷି, ଫାଇନାନ୍ସ, ସ୍ୱାସ୍ଥ୍ୟ ବିଜ୍ଞାନ, ସାଇବର ସୁରକ୍ଷା, ୟୁପିଏସସି ଓ ଓପିଏସସି ଭଳି ପ୍ରତିଯୋଗୀ ପରୀକ୍ଷା, ଏବଂ ଦଶମ ଓ ଦ୍ୱାଦଶ ପରବର୍ତ୍ତୀ ଶିକ୍ଷା ବିକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।
ଏହି ପଦକ୍ଷେପ ମାଧ୍ୟମରେ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ମନରେ କ୍ୟାରିୟର ସଚେତନତା ସୃଷ୍ଟି ହେବା ସହ ସେମାନେ ନିଜର ଆଗ୍ରହ ଓ ଦକ୍ଷତା ଅନୁଯାୟୀ ସଠିକ୍ ପଥ ବାଛିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
