ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ସେମାନଙ୍କ ଦକ୍ଷତା ଅନୁଯାୟୀ ରୋଜଗାର ଓ ଉଦ୍ୟୋଗୀ ହେବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସୁଭଦ୍ରା ହିତାଧିକାରୀଙ୍କର ସ୍କିଲ୍ ମ୍ୟାପିଂ କାର୍ଯ୍ୟ ଆରମ୍ଭ ହୋଇଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସୂଚନା ଅନୁଯାୟୀ, ହିତାଧିକାରୀଙ୍କ ପାଖରେ ଥିବା ଦକ୍ଷତା, ଅଭିଜ୍ଞତା ଓ ଆଗ୍ରହକୁ କୃତ୍ରିମ ବୁଦ୍ଧିମତା (AI) ମାଧ୍ୟମରେ ବିଶ୍ଳେଷଣ କରାଯିବ। ଏହା ପରେ ସେମାନଙ୍କୁ ବିଭିନ୍ନ ସରକାରୀ ବିଭାଗ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ରୋଜଗାର ସୁଯୋଗ ସହ ଯୋଡ଼ାଯିବ। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଏବଂ ଆୟ ବୃଦ୍ଧିକୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ସହାୟତା କରିବ ବୋଲି ସରକାର ଆଶା କରୁଛନ୍ତି।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥା ମାଧ୍ୟମରେ ଯେପରି ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଛନ୍ତି, ସେହିପରି ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରୁ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ କରି କାର୍ଯ୍ୟକ୍ରମ ଆଗେଇ ନେବାକୁ ଚୁକ୍ତିନାମା ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ସୁଭଦ୍ରା ଯୋଜନାରେ ସାମିଲ ଥିବା ମହିଳାମାନଙ୍କ ପାଇଁ ଆଉ ଏକ ବଡ଼ ସୁବିଧା ଘୋଷଣା କରାଯାଇଛି। ଯେଉଁ ହିତାଧିକାରୀ ୬୦ ବର୍ଷ ବୟସ ଅତିକ୍ରମ କରିବେ, ସେମାନଙ୍କ ନାମ ସ୍ୱୟଂଚାଳିତ ଭାବେ ସାମାଜିକ ସୁରକ୍ଷା ଭତ୍ତା ପୋର୍ଟାଲକୁ ସ୍ଥାନାନ୍ତର ହେବ। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଅପଡେଟ୍ କରାଯାଉଛି।
ସରକାରଙ୍କ ଏହି ନୂତନ ପଦକ୍ଷେପ ସୁଭଦ୍ରା ଯୋଜନାକୁ କେବଳ ଆର୍ଥିକ ସହାୟତା ଯୋଜନାରେ ସୀମିତ ନ ରଖି ମହିଳା ସଶକ୍ତିକରଣ, ରୋଜଗାର ସୃଷ୍ଟି ଏବଂ ସାମାଜିକ ସୁରକ୍ଷାର ଏକ ବ୍ୟାପକ ମଡେଲ୍ ଭାବେ ପରିଣତ କରିବା ଦିଗରେ ଆଗେଇ ନେଉଛି। ଖୁବ ଶୀଘ୍ର ୬୦ ବର୍ଷ ପାର କରିଥିବା ହିତାଧିକାରୀମାନେ ଭତ୍ତା ସୁବିଧା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
