ଭୁବନେଶ୍ୱର : ସୁଭଦ୍ରା ଯୋଜନାର ଲକ୍ଷାଧିକ ମହିଳାଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସୁଛି ଖୁସିର ଖବର। ରାଜ୍ୟ ସରକାର ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ଆର୍ଥିକ ସହାୟତା ବଣ୍ଟନ ପାଇଁ ଶେଷ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଥିବା ବେଳେ, ଏକ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପଠାଯିବ ଟଙ୍କା ।
ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ହୋଇଥିବା ସମୀକ୍ଷା ବୈଠକରେ ପଞ୍ଚମ କିସ୍ତି ବଣ୍ଟନର ସମସ୍ତ କାର୍ଯ୍ୟଯୋଜନାକୁ ଅନୁମୋଦନ ଦିଆଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଓସିଏସିର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ପ୍ରସ୍ତୁତିର ଅଗ୍ରଗତି ନେଇ ଆଲୋଚନା କରିଥିଲେ ।
ସରକାରୀ ତଥ୍ୟ ଅନୁସାରେ, ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧ କୋଟି ୧୫ ଲକ୍ଷରୁ ଅଧିକ ଆବେଦନ ହୋଇଛି। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଲକ୍ଷାଧିକ ନୂତନ ଆବେଦନ ମିଳିଛି। ବିଭିନ୍ନ ପର୍ଯ୍ୟାୟର ଯାଞ୍ଚ ପରେ ୧ କୋଟି ୧ ଲକ୍ଷ ୯୯ ହଜାରରୁ ଅଧିକ ମହିଳାଙ୍କୁ ପଞ୍ଚମ କିସ୍ତି ପାଇଁ ଅନ୍ତିମ ତାଲିକାରେ ସ୍ଥାନ ଦିଆଯାଇଛି।
ପଞ୍ଚମ କିସ୍ତିର ଟଙ୍କା ନିର୍ବିଘ୍ନରେ ପହଞ୍ଚାଇବା ପାଇଁ ଡିବିଟି ସକ୍ରିୟକରଣ, ବାୟୋମେଟ୍ରିକ୍ e-KYC, NPCI ମ୍ୟାପିଂ ଏବଂ ବ୍ୟାଙ୍କିଙ୍ଗ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାକି ଥିବା ଯାଞ୍ଚ ଓ ପ୍ରଯୁକ୍ତିଗତ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୁଭଦ୍ରା ଯୋଜନା ଆରମ୍ଭ ହେବା ପରଠାରୁ ଚାରିଟି ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କାରୁ ଅଧିକ ରାଶି ଏକ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ଏହା ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ବୃହତ୍ ପଦକ୍ଷେପ ଭାବେ ପରିଗଣିତ ହେଉଛି।
ସେହିପରି ଯୋଜନା ସମ୍ପର୍କିତ ଅଭିଯୋଗ ନିରାକରଣ ଓ ଫିଲ୍ଡ ଯାଞ୍ଚ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଲକ୍ଷାଧିକ ଆବେଦନର ଯାଞ୍ଚ ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଅଧିକାଂଶ ଅଭିଯୋଗର ସମାଧାନ କରାଯାଇଛି। ରାକ୍ଷୀ ପୂର୍ଣ୍ଣିମାରେ ପଞ୍ଚମ କିସ୍ତି ବଣ୍ଟନ ସହ ଲକ୍ଷାଧିକ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
