ଭାରତୀୟ କ୍ରିକେଟ ଦଳ ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି ଖେଳାଳିଙ୍କ ଇଞ୍ଜୁରି । ଦଳର ଅନେକ ପ୍ରମୁଖ ଖେଳାଳି ଆହତ ଥିବାରୁ ଚୟନକର୍ତ୍ତା ଓ ବିସିସିଆଇଙ୍କ ଚିନ୍ତା ବଢ଼ିଛି । ପରିସ୍ଥିତି ଏମିତି ହୋଇଛି ଯେ, ଆହତ ଖେଳାଳିଙ୍କୁ ନେଇ ଏକ ଅଲଗା ଏକାଦଶ ଦଳ ତିଆରି ହୋଇପାରିବ।
ଏହି ସ୍ଥିତିକୁ ନେଇ ବିସିସିଆଇ ମଧ୍ୟ ସକ୍ରିୟ ହୋଇଛି। ରିପୋର୍ଟ ଅନୁସାରେ, ବିସିସିଆଇ ସଚିବ ଦେବଜିତ ସାଇକିଆ ବେଙ୍ଗାଲୁରୁରେ ଭାରତୀୟ କ୍ରିକେଟର ମୁଖ୍ୟ VVS ଲକ୍ଷ୍ମଣଙ୍କ ସହ ଆହତ ଖେଳାଳିଙ୍କ ଫିଟନେସ ଓ ରିହାବ ପ୍ରକ୍ରିୟା ନେଇ ଆଲୋଚନା କରିବେ। ସେଠାରେ ଚାଲୁଥିବା ରିହାବିଲିଟେସନ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରାଯିବ।
ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଆଣ୍ଠୁ ସମସ୍ୟାରେ ପଡ଼ିଛନ୍ତି। ସାଇ ସୁଦର୍ଶନଙ୍କ ପାଦର ବଡ଼ ଆଙ୍ଗୁଠିରେ ଆଘାତ ଲାଗିଛି। ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀ ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରିରେ ଅଛନ୍ତି। ୱାଶିଂଟନ୍ ସୁନ୍ଦରଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିବା ବେଳେ ଆକାଶ ଦୀପ ପିଠି ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାହାରେ ଅଛନ୍ତି।
ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ବିଭିନ୍ନ ଇଞ୍ଜୁରିରୁ ସୁସ୍ଥ ହେବା ପାଇଁ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସରେ ରିହାବ୍ କରୁଛନ୍ତି। ବୁମ୍ରା ଓ ସୁଦର୍ଶନଙ୍କୁ ଶୀଘ୍ର ଦଳକୁ ଫେରିବା ଆଶା ଥିଲା। କିନ୍ତୁ ନୂଆ ମେଡିକାଲ ପରୀକ୍ଷା ପରେ ବୁମ୍ରାଙ୍କ ଆଣ୍ଠୁର ସମସ୍ୟା ଆହୁରି ଗୁରୁତର ବୋଲି ଜଣାପଡ଼ିଛି। ତେଣୁ ସେ ସୁସ୍ଥ ହେବାକୁ ଅଧିକ ସମୟ ନେଇପାରନ୍ତି।
ସେହିପରି ସାଇ ସୁଦର୍ଶନ ନିୟମିତ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କ ପାଦ ଆଙ୍ଗୁଠିର ଯନ୍ତ୍ରଣା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭଲ ହୋଇନାହିଁ। ନୀତୀଶ କୁମାର ରେଡ୍ଡୀ ବୋଲିଂ ଗତି ବଢ଼ାଇବା ସମୟରେ ତାଙ୍କ ମାଂସପେଶୀ ଉପରେ ଅଧିକ ଚାପ ପଡ଼ିଥିବାରୁ ଇଞ୍ଜୁରି ବଢ଼ିଥିବା ସୂଚନା ମିଳିଛି।
ଖେଳାଳିଙ୍କ ଇଞ୍ଜୁରି ପରିଚାଳନା ଓ ସେମାନଙ୍କୁ ପୁଣି ଦଳକୁ ଫେରାଇବା ସମୟକୁ ନେଇ କେତେକ ପ୍ରଶ୍ନ ମଧ୍ୟ ଉଠୁଛି। ଏହା ମଧ୍ୟରେ ହର୍ଷିତ ରାଣାଙ୍କ ଫିଟନେସ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଏବେ ବିସିସିଆଇର ପ୍ରଧାନ ଲକ୍ଷ୍ୟ ହେଉଛି ଆହତ ଖେଳାଳିଙ୍କୁ ଶୀଘ୍ର ମଇଦାନକୁ ଫେରାଇବା ପରିବର୍ତ୍ତେ, ବରଂ ସମ୍ପୂର୍ଣ୍ଣ ସୁସ୍ଥ କରି ପୁଣି ମଇଦାନକୁ ଫେରାଇବା। କାରଣ ଆଗାମୀ ଦିନର ବଡ଼ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ପାଇଁ ଦଳର ସର୍ବୋତ୍ତମ ଖେଳାଳିମାନଙ୍କ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
