Explore

Search

June 5, 2026 9:45 pm

ଜୁନରୁ ସରକାରୀ କାର୍ଯ୍ୟରେ ଇଭି ଗାଡ଼ି ବାଧ୍ୟତାମୂଳକ : ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର : ପରିବେଶ ସୁରକ୍ଷା ଓ ଇନ୍ଧନ ଖର୍ଚ୍ଚ ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କାର୍ଯ୍ୟରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଜୁନ୍ ୧ ତାରିଖରୁ ସମଗ୍ର ରାଜ୍ୟରେ ଏହି ନୂତନ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ସମସ୍ତ ସରକାରୀ ବିଭାଗକୁ ଇଭି ଗାଡ଼ି କ୍ରୟ କିମ୍ବା ଭଡ଼ାରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀ ରାଜ୍ୟର ସମସ୍ତ କାର୍ଯ୍ୟାଳୟ ଓ ସରକାରୀ ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ।

ନୂଆ ନୀତି ଅନୁଯାୟୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି ଓ ମନ୍ତ୍ରୀମାନଙ୍କ ବ୍ୟବହାର ପାଇଁ ଇଭି ଗାଡ଼ିର ମାସିକ ଭଡ଼ା ସର୍ବାଧିକ ୮୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିସନର ଓ ସମପାହ୍ୟାର ଅଧିକାରୀଙ୍କ ପାଇଁ ଏହି ରାଶି ୭୦ ହଜାର ଟଙ୍କା ରହିଛି।

ସେହିପରି ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ସ୍ତରର ଅଧିକାରୀଙ୍କ ପାଇଁ ମାସିକ ଭଡ଼ା ୬୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଜିଲ୍ଲାପାଳ, ଜିଲ୍ଲା ଜଜ୍ ଓ ଏସ୍‌ପିମାନଙ୍କ ପାଇଁ ୬୦ ହଜାର ଟଙ୍କା ନିର୍ଦ୍ଧାରିତ ହୋଇଛି। ବ୍ଲକ ଓ ତହସିଲ ସ୍ତରର ଅଧିକାରୀଙ୍କ ପାଇଁ ମାସିକ ଭଡ଼ା ୫୫ ହଜାର ଟଙ୍କା ରହିଥିବାବେଳେ ବିଭିନ୍ନ ବିଭାଗର ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟ ପାଇଁ ବ୍ୟବହୃତ ଗାଡ଼ିର ଭଡ଼ା ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

ନିର୍ଦ୍ଦେଶାବଳୀରେ ବ୍ୟାଟେରି ଚାର୍ଜିଂ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି । ଯଦି ଭଡ଼ାଦାତା ସଂସ୍ଥା ନିଜେ ଚାର୍ଜିଂ ବ୍ୟବସ୍ଥା କରିବେ, ତେବେ ଭଡ଼ା ବ୍ୟତୀତ ପ୍ରତି କିଲୋମିଟର ପିଛା ୨ ଟଙ୍କା ଅତିରିକ୍ତ ଦିଆଯିବ । କିନ୍ତୁ ସରକାରୀ ପକ୍ଷରୁ ଚାର୍ଜିଂ ସୁବିଧା ଯୋଗାଇ ଦିଆଗଲେ ଏହି ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ ନାହିଁ । ଏହି ଭଡ଼ା ହାର ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓଡ଼ିଶା ଅକ୍ଷୟଶକ୍ତି ବିକାଶ ଏଜେନ୍ସି (ଓରେଡା) ମାଧ୍ୟମରେ ଟେଣ୍ଡର ପ୍ରକ୍ରିୟାରେ ସର୍ବାଧିକ ୩୦୦ଟି ଇଭି ଗାଡ଼ି ଭଡ଼ାରେ ନେଇପାରିବେ । ଟେଣ୍ଡର ଅନୁଯାୟୀ ନିର୍ଦ୍ଧାରିତ ଦେୟ ଓରେଡାକୁ ପ୍ରଦାନ କରାଯିବ। କେବଳ ସରକାରୀ ବିଭାଗ ନୁହେଁ, ସରକାରଙ୍କ ଅଧୀନସ୍ଥ ସମସ୍ତ ସରକାରୀ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସମିତି ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ।

ବିଶ୍ୱ ବଜାରରେ ଇନ୍ଧନ ମୂଲ୍ୟର ଅସ୍ଥିରତା ଓ ବଢ଼ୁଥିବା ତୈଳ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହାଦ୍ୱାରା ରାଜକୋଷ ଉପରେ ଆର୍ଥିକ ଚାପ କମିବା ସହିତ କାର୍ବନ ନିର୍ଗମନ ହ୍ରାସ ପାଇବ ଏବଂ ରାଜ୍ୟରେ ସବୁଜ ଶକ୍ତି ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ସରକାର ଆଶା ରଖିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score