Explore

Search

May 30, 2026 9:09 pm

କ୍ଷମତା ଗଲାପରେ ପାଣ୍ଠି କମିଲା

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ପରିବେଶରେ ବର୍ତ୍ତମାନ ବିଜେଡିର ଆର୍ଥିକ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ବିରୋଧୀ ଦଳର ଭୂମିକାରେ ଥିବା ବିଜେଡିର ଦଳୀୟ ପାଣ୍ଠିରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଇଛି। ସଦ୍ୟ ପ୍ରକାଶିତ ADR (ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍) ରିପୋର୍ଟ ଅନୁଯାୟୀ, ଦଳର ଆୟ ହ୍ରାସ ପାଇଥିବା ବେଳେ ଖର୍ଚ୍ଚ ତୁଳନାମୂଳକ ଭାବେ ବହୁତ ଅଧିକ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡିର ମୋଟ ଆୟ ପ୍ରାୟ ୧୧୦ କୋଟି ଟଙ୍କା ଥିବା ବେଳେ ଦଳର ମୋଟ ବ୍ୟୟ ପହଞ୍ଚିଛି ପ୍ରାୟ ୨୮୮ କୋଟି ଟଙ୍କାରେ। ଏହି ଆୟରେ ପ୍ରାୟ ୬୦ କୋଟି ଟଙ୍କା ଦାନ ଓ ଅନୁଦାନ ମାଧ୍ୟମରେ ଆସିଥିବା ବେଳେ ଅବଶିଷ୍ଟ ୫୦ କୋଟି ଟଙ୍କା ବ୍ୟାଙ୍କ ସୁଧ ଆକାରରେ ମିଳିଛି । ତୁଳନାତ୍ମକ ଭାବେ ଦେଖିଲେ, ୨୦୨୩-୨୪ ଆର୍ଥିକ ବର୍ଷରେ ବିଜେଡିର ଆୟ ପ୍ରାୟ ୨୯୭ କୋଟି ଟଙ୍କା ଥିଲା, ଯାହା ଚଳିତ ବର୍ଷରେ ବହୁ ପରିମାଣରେ କମିଯାଇଛି।

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, କୌଣସି ଦଳ କ୍ଷମତାରୁ ବାହାରିବା ପରେ ତାହାର ଦଳୀୟ ପାଣ୍ଠି ଉପରେ ପ୍ରଭାବ ପଡ଼ିବା ସ୍ୱାଭାବିକ। ପାଣ୍ଠିଦାତା ଓ କର୍ପୋରେଟ୍ ସଂସ୍ଥାମାନେ ସାଧାରଣତଃ କ୍ଷମତାରେ ଥିବା ଦଳଗୁଡ଼ିକ ଉପରେ ଅଧିକ ଭରସା ପ୍ରକାଶ କରନ୍ତି। ଫଳସ୍ୱରୂପ ବିରୋଧୀ ଦଳମାନଙ୍କ ପାଖକୁ ଅନୁଦାନର ପ୍ରବାହ କମିଯାଏ। ବିଜେଡି ପକ୍ଷରୁ ମଧ୍ୟ କୁହାଯାଇଛି ଯେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ସମୟରେ ଆୟ କମିବା ଏକ ସାଧାରଣ ପ୍ରକ୍ରିୟା।

ତେବେ ଏହି ସ୍ଥିତି କେବଳ ବିଜେଡିରେ ସୀମିତ ନୁହେଁ। ADR ରିପୋର୍ଟ ଅନୁସାରେ ଦେଶର ଅନେକ ପ୍ରମୁଖ ଆଞ୍ଚଳିକ ଦଳ ମଧ୍ୟ ଆୟ ଓ ବ୍ୟୟ ମଧ୍ୟରେ ବଡ଼ ତଫାତ୍‌ର ସମ୍ମୁଖୀନ ହୋଇଛନ୍ତି। ଟିଡିପି ପ୍ରାୟ ୨୨୮ କୋଟି ଟଙ୍କାରୁ ଅଧିକ ଆୟ କରି ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଶୀର୍ଷରେ ରହିଥିବା ବେଳେ ଟିଏମ୍‌ସି ଓ ୱାଇଏସ୍‌ଆର କଂଗ୍ରେସ ମଧ୍ୟ ଉଲ୍ଲେଖନୀୟ ଆୟ କରିଛନ୍ତି। ହେଲେ ବ୍ୟୟ କ୍ଷେତ୍ରରେ ୱାଇଏସ୍‌ଆର କଂଗ୍ରେସର ଖର୍ଚ୍ଚ ତାହାର ଆୟର ଦୁଇଗୁଣାରୁ ଅଧିକ ହୋଇଥିବା ଜଣାପଡ଼ିଛି।

ସମଗ୍ର ଚିତ୍ରକୁ ଦେଖିଲେ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ୩୬ଟି ପ୍ରମୁଖ ଆଞ୍ଚଳିକ ଦଳର ମୋଟ ଆୟ ପ୍ରାୟ ୫୧.୫୭ ପ୍ରତିଶତ ହ୍ରାସ ପାଇଛି। ଏହା ଭାରତୀୟ ରାଜନୀତିରେ ପାଣ୍ଠି ସଂଗ୍ରହର ପରିବର୍ତ୍ତିତ ଧାରାକୁ ସ୍ପଷ୍ଟ କରୁଛି। ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି ଯେ, କ୍ଷମତା ହରାଇବା ପରେ ଦଳ ଗୁଡ଼ିକ ପାଇଁ ଆର୍ଥିକ ସମ୍ବଳ ବଜାୟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ୁଛି। ବିଜେଡିର ନୂତନ ରାଜନୈତିକ ପରିସ୍ଥିତିରେ ଏହି ଆର୍ଥିକ ଚିତ୍ର ଆଗାମୀ ଦିନରେ ଦଳର ସଂଗଠନ ଓ କାର୍ଯ୍ୟକଳାପ ଉପରେ କେତେ ପ୍ରଭାବ ପକାଇବ, ତାହା ଦେଖିବାକୁ ରହିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score