Explore

Search

May 14, 2026 10:00 pm

କାହିଁକି ନନ୍ଦିଗ୍ରାମ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ ?

କୋଲକାତା : ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ୨୦୨୬ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଓ ଭବାନିପୁର ଏହି ଦୁଇଟି ଆସନରୁ ଲଢି ବିଜୟୀ ହୋଇଥିଲେ। ଦୁଇ ଆସନରେ ବିଜୟ ହାସଲ ପରେ ଏବେ ସେ ନନ୍ଦିଗ୍ରାମ ଆସନ ଛାଡ଼ି ଭବାନିପୁରରୁ ବିଧାୟକ ଭାବେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ସେ ଭବାନିପୁର ବିଧାୟକ ଭାବେ ଶପଥ ମଧ୍ୟ ଗ୍ରହଣ କରିଛନ୍ତି। ଏହି ଆସନରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରି ବଡ଼ ରାଜନୈତିକ ସନ୍ଦେଶ ଦେଇଛନ୍ତି।

ଦୁଇଟି ଆସନରେ ଜିତିବା ପରେ ଶୁଭେନ୍ଦୁ କହିଥିଲେ ଯେ ସାମ୍ବିଧାନିକ ନିୟମ ଅନୁଯାୟୀ ସେ ଗୋଟିଏ ଆସନ ଛାଡ଼ିବେ । ସେ କହିଥିଲେ ଯେ କେଉଁ ଆସନ ରଖିବେ ସେଥିପାଇଁ ଦଳ ସହ ଆଲୋଚନା କରାଯିବ। ଶେଷରେ ସେ ଭବାନିପୁରକୁ ପ୍ରାଥମିକତା ଦେଇ ନନ୍ଦିଗ୍ରାମ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ନନ୍ଦିଗ୍ରାମରୁ ସେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲେ।

ନନ୍ଦିଗ୍ରାମରେ କେତେ ଭୋଟରେ ଜିତିଥିଲେ ଶୁଭେନ୍ଦୁ?

ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ପବିତ୍ର କରଙ୍କୁ ପରାଜିତ କରିଥିଲେ। ଶୁଭେନ୍ଦୁଙ୍କୁ ୧,୨୭,୩୦୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ପବିତ୍ର କର ୧,୧୭,୬୩୬ ଭୋଟ୍ ପାଇଥିଲେ। ଏହାଫଳରେ ଶୁଭେନ୍ଦୁ ପ୍ରାୟ ୯,୬୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ସିପିଆଇ ପ୍ରାର୍ଥୀ ସନ୍ତି ଗୋପାଲ ତୃତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶେଖ ଜରିତୁଲ ହୁସେନ ପଞ୍ଚମ ସ୍ଥାନରେ ଥିଲେ।

ଭବାନିପୁରରେ ଦିଦିଙ୍କୁ ଦେଲେ ବଡ଼ ଝଟକା

୨୦୨୬ ନିର୍ବାଚନରେ ଭବାନିପୁର ଆସନ ସବୁଠୁ ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ ଥିଲା। କାରଣ ଏଠାରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ସିଧାସଳଖ ମୁକାବିଲା କରୁଥିଲେ ମମତା ବାନାର୍ଜୀ। ୨୦୨୧ ନିର୍ବାଚନରେ ମଧ୍ୟ ନନ୍ଦିଗ୍ରାମରେ ଶୁଭେନ୍ଦୁ ମମତାଙ୍କୁ ପରାସ୍ତ କରିଥିଲେ। ସେତେବେଳେ ଟିଏମସି ସରକାର ଗଠନ କରିଥିଲେ ମଧ୍ୟ ଦିଦିଙ୍କ ପରାଜୟ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।

ଏଥର ଭବାନିପୁରରେ ମଧ୍ୟ ଶୁଭେନ୍ଦୁ ନିଜର ପ୍ରଭାବ ଦେଖାଇଛନ୍ତି। ସେ ୭୩,୯୧୭ ଭୋଟ୍ ପାଇଥିବା ବେଳେ ମମତା ବାନାର୍ଜୀଙ୍କୁ ୫୮ ହଜାର ୮୧୨ ଭୋଟ୍ ମିଳିଥିଲା। ଫଳରେ ଶୁଭେନ୍ଦୁ ୧୫,୧୦୫ ଭୋଟ୍ ବ୍ୟବଧାନରେ ଦିଦିଙ୍କୁ ପରାସ୍ତ କରି ଆଉଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନକୁ ଦୀର୍ଘଦିନ ଧରି ମମତା ବାନାର୍ଜୀଙ୍କ ଶକ୍ତିଶାଳୀ ଗଡ଼ ବୋଲି ଦେଖାଯାଉଥିଲା । କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀଙ୍କ ହାତରେ ପରାଜୟ ପରେ ଦିଦି ଏହି ଆସନରୁ ଦୂରେଇ ଯାଇଥିଲେ । ଅନ୍ୟପଟେ ଶୁଭେନ୍ଦୁ ନନ୍ଦିଗ୍ରାମକୁ ନିଜର ରାଜନୈତିକ ଦୁର୍ଗ ଭାବେ ମାନନ୍ତି । ଏହି ଆସନ ତାଙ୍କର ରାଜନୈତିକ ଯାତ୍ରାର ସବୁଠୁ ବଡ଼ କେନ୍ଦ୍ରବିନ୍ଦୁ ହୋଇପାରିଛି । ୨୦୨୧ରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରେ ଶୁଭେନ୍ଦୁ ରାତାରାତି ପଶ୍ଚିମବଙ୍ଗ ବିଜେପିର ଏକ ପ୍ରମୁଖ ଓ ପ୍ରଭାବଶାଳୀ ମୁହଁ ଭାବେ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଆସିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score