Explore

Search

June 11, 2026 4:00 pm

କାଳବୈଶାଖୀ ଆଗରୁ ସିଏମସିର କଡ଼ା ପଦକ୍ଷେପ : କଟକରୁ ହଟିବ ସବୁ ଫ୍ଲେକ୍ସ ଓ ହୋର୍ଡିଂ

କଟକ : କାଳବୈଶାଖୀ ଋତୁକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ଓ ଜନହିତକର ନିଷ୍ପତ୍ତି । ସହରବାସୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କଟକକୁ ଅସ୍ଥାୟୀ ଭାବେ “ଫ୍ଲେକ୍ସ-ମୁକ୍ତ ସହର”ରେ ପରିଣତ କରିବା ପାଇଁ ପ୍ରଶାସନ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଫ୍ଲେକ୍ସ, ବ୍ୟାନର ଓ ହୋର୍ଡିଂଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସିଏମସି କମିଶନର କିରନଦୀପ କୌରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସମସ୍ତ ଅନୁମୋଦିତ ହୋର୍ଡିଂ ଏଜେନ୍ସିଙ୍କୁ ଜୁନ ୧୫ ସୁଦ୍ଧା ଫ୍ଲେକ୍ସ ଓ ହୋର୍ଡିଂ ହଟାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ସ୍ପଷ୍ଟ କରିଛି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ନହେଲେ ସିଏମସି ନିଜସ୍ୱ ଟିମ୍ ମାଧ୍ୟମରେ ସେଗୁଡ଼ିକୁ ହଟାଇବ ଏବଂ ଆବଶ୍ୟକ ହେଲେ ଜୋରିମାନା ମଧ୍ୟ ଲାଗୁ କରାଯିବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ଧରି କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ପ୍ରବଳ ପବନ, ବିଜୁଳି ଘଡ଼ଘଡ଼ି ଓ ଅଚାନକ ବର୍ଷା ସମୟରେ ବଡ଼ ବଡ଼ ହୋର୍ଡିଂ ଏବଂ ଫ୍ଲେକ୍ସ ଉପଡ଼ି ଯାଇ ରାସ୍ତା ଉପରେ ପଡ଼ିବା ଘଟଣା ଅତୀତରେ ଅନେକ ଥର ଦେଖାଯାଇଛି। ଏହା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ ମଧ୍ୟ ବିପଦରେ ପଡ଼ିଥାଏ।

ସହରର ୫୯ଟି ୱାର୍ଡରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। ବିଶେଷକରି ମୁଖ୍ୟ ରାସ୍ତା, ଛକ, ହସ୍ପିଟାଲ, ସ୍କୁଲ, କଲେଜ ଏବଂ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ପ୍ରାଥମିକତା ଦିଆଯିବ। ପ୍ରଶାସନର ମତରେ, ବିପର୍ଯ୍ୟୟ ସମୟରେ ଏହି ଅଞ୍ଚଳଗୁଡ଼ିକରେ ଫ୍ଲେକ୍ସ ଓ ହୋର୍ଡିଂ ସର୍ବାଧିକ ବିପଦ ସୃଷ୍ଟି କରିଥାଏ।

ଏହାସହ ଆଗାମୀ ଦିନରେ ମେଡିକାଲ, ଶିକ୍ଷାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ନୂଆ ହୋର୍ଡିଂ ସ୍ଥାପନ ପାଇଁ କଡ଼ା ନିୟମ ଲାଗୁ କରାଯିବ। ସମ୍ପୃକ୍ତ ବିଭାଗର ଅନୁମତି ଓ ସୁରକ୍ଷା ଯାଞ୍ଚ ପରେ ମାତ୍ର ସୀମିତ ସଂଖ୍ୟାରେ ଫ୍ଲେକ୍ସ ଲଗାଇବାକୁ ଅନୁମତି ମିଳିବ।

ସହରର ସୌନ୍ଦର୍ଯ୍ୟ ବୃଦ୍ଧି, ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ସିଏମସିର ଏହି ପଦକ୍ଷେପକୁ ବିଭିନ୍ନ ମହଳରୁ ପ୍ରଶଂସା ମିଳୁଛି। କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁର୍ଘଟଣା ହ୍ରାସ କରିବାରେ ଏହି ଅଭିଯାନ କେତେ ସଫଳ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score