Explore

Search

July 23, 2026 12:37 am

ଓଡ଼ିଶାରେ ଶିଳ୍ପ ବିକାଶକୁ ନୂଆ ଗତି, ୧୧ ଜିଲ୍ଲାରେ ୨୩ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ବିକାଶକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ୧୧ଟି ଜିଲ୍ଲାରେ ୨୩ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ପ୍ରାୟ ୪,୫୭୩ କୋଟି ଟଙ୍କାର ନିବେଶ ହେବା ସହ ୨୨,୮୭୩ରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ।

ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ SLSWCAର ୧୪୮ତମ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ସବୁଜ ସଙ୍କେତ ମିଳିଛି । ଏଥିରେ ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଅନୁଗୁଳ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାପିତ ହେବ।

ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ ଭାବେ HCL Technologies ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କାର ନିବେଶରେ ଏକ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ସ୍ଥାପନ କରିବ। ଏହା ମାଧ୍ୟମରେ ପ୍ରାୟ ୬,୦୦୦ ଯୁବକ-ଯୁବତୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି ହେବ।

ବସ୍ତ୍ର ଓ ପୋଷାକ ଶିଳ୍ପ କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି। ପୁରୀରେ ତିନୋଟି ରେଡିମେଡ୍ ଗାର୍ମେଣ୍ଟ ୟୁନିଟ୍ ଏବଂ ବଲାଙ୍ଗିରରେ ଏକ ବସ୍ତ୍ର କାରଖାନା ସ୍ଥାପନ ପାଇଁ ଅନୁମୋଦନ ମିଳିଥିବା ବେଳେ, ଏହି ପ୍ରକଳ୍ପ ଗୁଡ଼ିକରେ ମିଶି ୧୦ ହଜାରରୁ ଅଧିକ ରୋଜଗାର ସୁଯୋଗ ଉପଲବ୍ଧ ହେବ।

ଏହାଛଡ଼ା ଗ୍ରୀନ୍ ଏନର୍ଜି, ବ୍ୟାଟେରୀ ନିର୍ମାଣ, କେମିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍, ଔଷଧ ଓ ମେଡିକାଲ୍ ଉପକରଣ, ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ନୂଆ ନିବେଶ ଆସିବ।

ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ କଟକରେ ୩୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ, କଟକ ଓ ସମ୍ବଲପୁରରେ ପଞ୍ଚତାରକା ହୋଟେଲ ଏବଂ ଖୋର୍ଦ୍ଧାରେ ଏକ ଲକ୍ସୁରୀ ରିସର୍ଟ ସ୍ଥାପନ ପାଇଁ ମଧ୍ୟ ମଞ୍ଜୁରି ମିଳିଛି।

ଅନ୍ୟପକ୍ଷରେ, ନୂଆପଡ଼ାରେ ୨୫୦ କୋଟି ଟଙ୍କାର ନିବେଶରେ ତୈଳ ବିଶୋଧନଗାର ଓ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧,୧୫୦ ଜଣଙ୍କୁ ରୋଜଗାର ମିଳିବ ବୋଲି ଆଶା କରାଯାଉଛି।

ଏହି ସମସ୍ତ ପ୍ରକଳ୍ପ ଓଡ଼ିଶାର ଶିଳ୍ପ ମାନଚିତ୍ରକୁ ନୂଆ ଦିଗ ଦେବା ସହ ରାଜ୍ୟର ଯୁବପୀଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ଓ ଆର୍ଥିକ ସୁଯୋଗ ସୃଷ୍ଟି କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score