ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ, ତହସିଲ ଓ ପୌରାଞ୍ଚଳର ଇଂରାଜୀ ବନାନରେ ରହିଥିବା ତ୍ରୁଟିକୁ ସୁଧାରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହାସହ ଐତିହାସିକ ଓ ସାଂସ୍କୃତିକ ପରିଚୟ ବହନ କରୁଥିବା ମୂଳ ଓଡ଼ିଆ ନାମ ଗୁଡ଼ିକୁ ପୁନଃସ୍ଥାପନ କରିବା ଦିଗରେ ପ୍ରକ୍ରିୟା ଆଗକୁ ବଢ଼ିଛି । ୫୦ରୁ ଅଧିକ ସ୍ଥାନର ନାମ ସଂଶୋଧନ ପାଇଁ ସୁପାରିସ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ଏହି କମିଟି ସାଧାରଣ ଲୋକ, ଜନପ୍ରତିନିଧି ଓ ବିଭିନ୍ନ ସଂଗଠନରୁ ମିଳିଥିବା ପ୍ରସ୍ତାବ ଗୁଡ଼ିକର ସମୀକ୍ଷା କରିଛି। ଇତିହାସ, ଭାଷା ଓ ସ୍ଥାନୀୟ ଉଚ୍ଚାରଣକୁ ଆଧାର କରି ଅନେକ ସ୍ଥାନର ନାମରେ ପରିବର୍ତ୍ତନ ଆଣିବାକୁ ମତ ପ୍ରକାଶ ପାଇଛି।
କମିଟିର ସୁପାରିସ ଅନୁସାରେ କଳାହାଣ୍ଡିର ‘Junagarh’କୁ ‘ଜୁନାଗଡ଼’, ‘Kandhamal’କୁ ‘କନ୍ଧମାଳ’ ଏବଂ ସୁନ୍ଦରଗଡ଼ର ‘Bonaigarh’କୁ ‘ବଣାଇଗଡ଼’ ଭାବେ ପରିବର୍ତ୍ତନ କରିବା ପ୍ରସ୍ତାବ ରହିଛି। ସେହିପରି ‘Nimapara’ ହେବ ‘ନିମାପଡ଼ା’, ‘Umerkote’ ହେବ ‘ଉମରକୋଟ’, ‘Boudhgarh’ ହେବ ‘ବୌଦ୍ଧଗଡ଼’, ‘Talcher’ ହେବ ‘ତାଳଚେର’ ଓ ‘Soro’ ହେବ ‘ସୋର’।
ଗଞ୍ଜାମ ଜିଲ୍ଲାର ଅନେକ ପ୍ରମୁଖ ସହର ଓ ବ୍ଲକ୍ର ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ‘Berhampur’କୁ ‘ବ୍ରହ୍ମପୁର’, ‘Hinjilicut’କୁ ‘ହିଞ୍ଜିଳିକାଟୁ’, ‘Aska’କୁ ‘ଆସିକା’ ଏବଂ ‘Surada’କୁ ‘ସୋରଡ଼ା’ ଭାବେ ଲେଖିବାକୁ ସୁପାରିସ କରାଯାଇଛି। କେନ୍ଦ୍ରାପଡ଼ାର ‘Aul’କୁ ‘ଆଳି’ ଓ ‘Mahakalapada’କୁ ‘ମହାକାଳପଡ଼ା’ କରିବା ପ୍ରସ୍ତାବ ମଧ୍ୟ ରହିଛି।
ସେହିପରି ‘Keonjhar’କୁ ‘କେନ୍ଦୁଝର’, ‘Keonjhargarh’କୁ ‘କେନ୍ଦୁଝରଗଡ଼’, ‘Barbil’କୁ ‘ବଡ଼ବିଲ’, ‘Khurda’କୁ ‘ଖୋର୍ଦ୍ଧା’, ‘Bolagarh’କୁ ‘ବୋଲଗଡ଼’, ‘Jatni’କୁ ‘ଜଟଣୀ’ ଏବଂ କୋରାପୁଟର ‘Jeypore’କୁ ‘ଜୟପୁର’ ଭାବେ ନାମକରଣ କରିବାକୁ କମିଟି ମତ ଦେଇଛି।
ବିଶେଷଜ୍ଞମାନଙ୍କ ମତରେ, ଉପନିବେଶବାଦୀ ଶାସନ କାଳ ଏବଂ ପରବର୍ତ୍ତୀ ସମୟରେ ଅନେକ ସ୍ଥାନର ମୂଳ ଓଡ଼ିଆ ନାମ ଓ ଉଚ୍ଚାରଣ ବିକୃତ ହୋଇଯାଇଥିଲା। ଏବେ ସେଗୁଡ଼ିକୁ ଐତିହାସିକ ରୂପରେ ପୁନଃସ୍ଥାପନ କରାଗଲେ ରାଜ୍ୟର ଭାଷାଗତ ଐତିହ୍ୟ ଓ ସାଂସ୍କୃତିକ ସ୍ୱତନ୍ତ୍ରତା ଆହୁରି ସୁଦୃଢ଼ ହେବ।
କମିଟିର ସୁପାରିସ ଗୁଡ଼ିକୁ ଶୀଘ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାରୀ ଅନୁମୋଦନ ମିଳିବା ପରେ ସମ୍ପୃକ୍ତ ସ୍ଥାନଗୁଡ଼ିକର ନାମ ଓ ବନାନ ପରିବର୍ତ୍ତନ ନେଇ ଚୂଡ଼ାନ୍ତ ଘୋଷଣା କରାଯିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
