Explore

Search

May 23, 2026 3:18 am

ଏକ ଜିଦିଆ : ନିଜ ପୁଅ ବାହାଘରକୁ ଯିବେନି ଟ୍ରମ୍ପ

ଆମେରିକା : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆସନ୍ତାକାଲି (ମେ ୨୩) ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବାହା ମାସର ଏକ ନିଜସ୍ୱ ଦ୍ୱୀପରେ ସେ ନିଜ ପ୍ରେମିକା ତଥା ପାମ୍ ବିଚର ସମାଜସେବୀ ବେଟିନା ଆଣ୍ଡରସନଙ୍କ ସହ ସାତଫେରା ନେବେ । ତେବେ ଏହି ବିବାହ ଉତ୍ସବରେ ଟ୍ରମ୍ପ ସାମିଲ ହେବେ କି ନାହିଁ, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିବାହ ଅତିଥି ତାଲିକାରେ କେବଳ ପରିବାର ଲୋକ ଓ ନିକଟତମ ବନ୍ଧୁମାନଙ୍କୁ ମିଶାଇ ପ୍ରାୟ ୫୦ ଜଣଙ୍କୁ ଆମନ୍ତ୍ରଣ କରାଯାଇଛି ।

ଟ୍ରମ୍ପ ନିଜେ ବିବାହ ଉତ୍ସବରେ ଯୋଗ ନଦେବାର କାରଣ ସମ୍ପର୍କରେ ମତ ରଖିଛନ୍ତି । ଇରାନ ସମ୍ପର୍କିତ ତୀବ୍ର ଅନ୍ତର୍ଜାତୀୟ ପରିସ୍ଥିତି ଓ ସୁରକ୍ଷା ଚିନ୍ତାକୁ ସେ ଏହାର ମୂଳ କାରଣ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ସେ ବିବାହ ଉତ୍ସବରେ ଯୋଗଦେବେ କି ନାହିଁ, ସେନେଇ ସାର୍ବଜନୀନ ଭାବେ ସ୍ପଷ୍ଟ ଘୋଷଣା କରିନାହାଁନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ, “ଏହା ମୋ ପାଇଁ ଠିକ୍ ସମୟ ନୁହେଁ । ଇରାନ ସହ ଅନେକ ଗମ୍ଭୀର ପ୍ରସଙ୍ଗ ନେଇ ମୁଁ ବ୍ୟସ୍ତ ଅଛି ।” କିଛି ଭ୍ରାନ୍ତିକର ଖବରକୁ ଉଲ୍ଲେଖ କରି ସେ କହିଥିଲେ, “ମୁଁ ବିବାହ ଉତ୍ସବକୁ ଗଲେ ମୋତେ ହତ୍ୟା କରାଯିବ ବୋଲି କୁହାଯାଉଛି, ଯଦି ନ ବି ଯାଏ ତାହାଲେ ମଧ୍ୟ ମୋତେ ମାରି ଦିଆଯିବ।” ଏହି କାରଣରୁ ବର୍ତ୍ତମାନ ସମୟକୁ ସେ ଅନୁକୂଳ ନୁହେଁ ବୋଲି କହିଛନ୍ତି ।

୪୮ ବର୍ଷୀୟ ଟ୍ରମ୍ପ ଜୁନିଅରଙ୍କ ପାଇଁ ଏହା ଦ୍ୱିତୀୟ ବିବାହ ହେବ । ସେ ପୂର୍ବରୁ ଭାନେସା ଟ୍ରମ୍ପଙ୍କୁ ବିବାହ କରିଥିଲେ । ବିବାହର ୧୨ ବର୍ଷ ପରେ ୨୦୧୮ ମସିହାରେ ଦୁହେଁ ପୃଥକ ହୋଇଥିଲେ । ତାଙ୍କର ୫ଟି ସନ୍ତାନ ଅଛନ୍ତି । ନିକଟରେ ଭାନେସା ନିଜ ସାମାଜିକ ମାଧ୍ୟମ ଜରିଆରେ ସ୍ତନ କର୍କଟ ରୋଗରେ ପୀଡ଼ିତ ଥିବା ସୂଚନା ଦେଇଥିଲେ ।

ଗତ ଡିସେମ୍ବର ମାସରେ ହ୍ୱାଇଟ ହାଉସର ଛୁଟିଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଜୁନିଅର ଓ ବେଟିନା ନିଜମାନଙ୍କର ନିର୍ବନ୍ଧ ଘୋଷଣା କରିଥିଲେ । ସେଠାରେ ଜୁନିଅର ଟ୍ରମ୍ପ କହିଥିଲେ, “ବେଟିନାଙ୍କୁ ମୁଁ ସେହି ଗୋଟିଏ ଶବ୍ଦ ପାଇଁ ଧନ୍ୟବାଦ ଜଣାଉଛି, ଯାହା ହେଉଛି ‘ହଁ’ ।” ଏହାପରେ ବେଟିନା କହିଥିଲେ, “ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ସମୟ । ମୁଁ ମୋ ଜୀବନସାଥୀଙ୍କୁ ବିବାହ କରିବାକୁ ଯାଉଛି ଏବଂ ନିଜକୁ ବିଶ୍ୱର ସବୁଠାରୁ ଭାଗ୍ୟଶାଳୀ ଯୁବତୀ ଭାବେ ଅନୁଭବ କରୁଛି ।”

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score