Explore

Search

May 21, 2026 10:39 pm

ଆମେରିକାରେ ଭାରତୀୟ ଟେକ୍ କର୍ମଚାରୀଙ୍କୁ ଛଟେଇ ଧମକ : ୬୦ ଦିନରେ ଚାକିରି ନମିଳିଲେ ଦେଶ ଛାଡ଼ିବେ ଯୁବପୀଢ଼ି

ଆମେରିକା : “୬୦ ଦିନ ମଧ୍ୟରେ ନୂଆ ଚାକିରି ଖୋଜନ୍ତୁ, ନହେଲେ ଆମେରିକା ଛାଡନ୍ତୁ” — ଏହି ସନ୍ଦେଶ ଏବେ ହଜାର ହଜାର ଭାରତୀୟ ପ୍ରବାସୀ କର୍ମଚାରୀଙ୍କ ପାଇଁ ଭୟର କାରଣ ହୋଇଛି। ଚାକିରି ହରାଇବାରୁ ବେଶି ଚିନ୍ତା ସୃଷ୍ଟି କରୁଛି ଆମେରିକା ଛାଡିବାର ସମ୍ଭାବନା।

ଆମେରିକାର ପ୍ରଯୁକ୍ତି ଶିଳ୍ପରେ ଏବେ ବ୍ୟାପକ ଭାବରେ ଛଟେଇ ଚାଲିଛି। ସିଲିକନ୍ ଭ୍ୟାଲିର ଅନେକ କମ୍ପାନୀ ଖର୍ଚ୍ଚ କମାଇବା ଓ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ କର୍ମଚାରୀ କମାଉଛନ୍ତି। ମେଟା ପରି ବଡ଼ କମ୍ପାନୀ ହଜାର ହଜାର ଚାକିରି କାଟିଦେଇଥିବା ବେଳେ, ଏହାର ପ୍ରଭାବ ସର୍ବାଧିକ ପଡ଼ୁଛି ବିଦେଶୀ କର୍ମଚାରୀଙ୍କ ଉପରେ, ବିଶେଷକରି ଭାରତୀୟମାନଙ୍କ ଉପରେ।

ଅଧିକାଂଶ ଭାରତୀୟ ପେଶାଜୀବୀ H-1B ଭିସାରେ ଆମେରିକାରେ କାମ କରନ୍ତି। ଏହି ଭିସା ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ସିଧାସଳଖ ଭାବେ ଜଡିତ ଥାଏ। ତେଣୁ ଚାକିରି ହରାଇବା ସହିତ ସେମାନଙ୍କର ଭିସା ସ୍ଥିତି ମଧ୍ୟ ଅନିଶ୍ଚିତ ହୋଇଯାଏ। ଆମେରିକୀୟ ପ୍ରବାସ ନିୟମ ଅନୁଯାୟୀ, ଛଟେଇ ପରେ ସେମାନଙ୍କୁ ନୂଆ ଭିସା ପ୍ରାୟୋଜକ ଖୋଜିବା ପାଇଁ ମାତ୍ର ୬୦ ଦିନ ସମୟ ମିଳେ। ଏହି ସମୟ ମଧ୍ୟରେ ଚାକିରି ନମିଳିଲେ ଦେଶ ଛାଡିବାକୁ ପଡ଼ିପାରେ।

ଏହି ପରିସ୍ଥିତି ଅନେକ ପରିବାର ପାଇଁ ମାନସିକ ଚାପ ସୃଷ୍ଟି କରିଛି। କାରଣ ଚାକିରି ହରାଇବାର ଅର୍ଥ କେବଳ ଆୟ ବନ୍ଦ ହେବା ନୁହେଁ, ବରଂ ଘର ଋଣ, ପିଲାଙ୍କ ପଢ଼ା, ସ୍ୱାସ୍ଥ୍ୟ ସେବା ଓ ସ୍ଥାୟୀ ବସବାସ ସ୍ୱପ୍ନ ଭାଙ୍ଗିଯିବା ମଧ୍ୟ ଅଟେ। ଅନେକ ଭାରତୀୟ ଦୀର୍ଘଦିନ ଧରି ଗ୍ରୀନ କାର୍ଡ ପାଇଁ ଅପେକ୍ଷା କରୁଛନ୍ତି । କେହି କେହି ଆମେରିକାରେ ଘର କିଣିଥିବା ବେଳେ, ସେମାନଙ୍କ ପିଲାମାନେ ସେଠାରେ ଜନ୍ମ ନେଇଛନ୍ତି। ଏବେ ଗୋଟିଏ ଛଟେଇ ସେମାନଙ୍କ ସମସ୍ତ ଯୋଜନାକୁ ଅନିଶ୍ଚିତତାରେ ଫେଳାଇଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅନେକ ଭାରତୀୟ କର୍ମଚାରୀ ଏବେ ଅସ୍ଥାୟୀ ଭାବେ ଆମେରିକାରେ ରହିବା ପାଇଁ ଅନ୍ୟ ଭିସା ବିକଳ୍ପ ଖୋଜୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ B-2 ପର୍ଯ୍ୟଟକ ଭିସାକୁ ପରିବର୍ତ୍ତନ କରି କିଛି ଅଧିକ ସମୟ ରହିବାକୁ ଚେଷ୍ଟା କରୁଛନ୍ତି, ଯାହା ମାଧ୍ୟମରେ ସେମାନେ ନୂଆ ନିଯୁକ୍ତିଦାତା ଖୋଜିପାରିବେ।

USCIS ନିୟମ ଅନୁଯାୟୀ, H-1B ଭିସାଧାରୀ କର୍ମଚାରୀଙ୍କୁ ଛଟେଇ ପରେ ୬୦ ଦିନର ଗ୍ରେସ ପିରିୟଡ ମିଳେ। ଏହି ସମୟରେ ସେମାନେ ନୂଆ ଚାକିରି ଖୋଜିପାରିବେ, ଅନ୍ୟ ଭିସା ପାଇଁ ଆବେଦନ କରିପାରିବେ କିମ୍ବା ଦେଶ ଛାଡିବା ପାଇଁ ପ୍ରସ୍ତୁତି ନେଇପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ୬୦ ଦିନର ଗଣନା କର୍ମଚାରୀଙ୍କ ଶେଷ କାର୍ଯ୍ୟଦିନରୁ ଆରମ୍ଭ ହୁଏ।

ନୂଆ ଚାକିରି ଖୋଜିବା ମଧ୍ୟ ସହଜ ନୁହେଁ । ଚାକିରି ସାକ୍ଷାତକାର, ଭିସା ସ୍ଥାନାନ୍ତର ପ୍ରକ୍ରିୟା ଓ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ କମ୍ପାନୀମାନେ ନିଯୁକ୍ତି ନେବାରେ ସତର୍କ ହୋଇପଡ଼ିଛନ୍ତି। ଏହା ସହ କୃତ୍ରିମ ବୁଦ୍ଧିମତ୍ତାକୁ କେନ୍ଦ୍ର କରି କମ୍ପାନୀମାନଙ୍କ ପୁନର୍ଗଠନ ମଧ୍ୟ ଚାକିରି ବଜାରକୁ ପ୍ରଭାବିତ କରୁଛି।

ତଥ୍ୟ ଅନୁଯାୟୀ, ଏହି ବର୍ଷ ମାତ୍ର ପ୍ରଯୁକ୍ତି କ୍ଷେତ୍ରରେ ୧ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ଥିବା ଆକଳନ କରାଯାଉଛି। ତେଣୁ ଆମେରିକାରେ କାର୍ଯ୍ୟରତ ଭାରତୀୟମାନଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କେବଳ ନୂଆ ଚାକିରି ଖୋଜିବା ନୁହେଁ, ବରଂ ସମଗ୍ର ଭବିଷ୍ୟତକୁ ଭାଙ୍ଗିଯିବାରୁ ବଞ୍ଚାଇବା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score