Explore

Search

August 6, 2026 11:13 pm

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଖୋଲାଯିବ ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ : ସାମିଲ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ସମ୍ପର୍କିତ ସଚେତନତା ବୃଦ୍ଧି ଓ ଯୁବପିଢ଼ିଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ (ELC) ଖୋଲାଯିବ। ଏହି କ୍ଲବ୍‌ରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସହ ୧୮ରୁ ୨୫ ବର୍ଷ ବୟସର ଯୁବକ ଓ ଯୁବତୀମାନେ ସାମିଲ ହେବେ।

ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ଚିଠିରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ ଗଠନ କରି ନିର୍ବାଚନ ପ୍ରକ୍ରିୟା, ଭୋଟର ପଞ୍ଜିକରଣ, ମତଦାନର ଗୁରୁତ୍ୱ ଓ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ଏହି କ୍ଲବ୍‌ ଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ବ୍ୟବସ୍ଥା ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯିବ। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର, କୁଇଜ୍, ବିତର୍କ ଏବଂ ମକ୍ ପୋଲିଂ ଭଳି କାର୍ଯ୍ୟକଳାପ ଆୟୋଜନ କରାଯିବ।

ନିର୍ବାଚନ ଆୟୋଗର ଏହି ପଦକ୍ଷେପ ଦ୍ୱାରା ଯୁବ ଭୋଟରମାନଙ୍କ ମଧ୍ୟରେ ସଚେତନତା ବଢ଼ିବା ସହ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

 

ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ (ELC) କ’ଣ?

ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ (ELC) ହେଉଛି ଭାରତର ନିର୍ବାଚନ ଆୟୋଗଙ୍କ ଏକ ସ୍ୱତନ୍ତ୍ର ପଦକ୍ଷେପ, ଯାହା ଶିକ୍ଷାନୁଷ୍ଠାନ ଓ ସମୁଦାୟ ସ୍ତରରେ ନିର୍ବାଚନ ସଚେତନତା ବୃଦ୍ଧି ପାଇଁ ଗଠନ କରାଯାଏ । ଏହି କ୍ଲବରେ ଛାତ୍ରଛାତ୍ରୀ ଏବଂ ଯୁବ ଭୋଟରମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ, ସମ୍ବିଧାନିକ ଅଧିକାର ଏବଂ ମତଦାନର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ଦିଆଯାଏ।

ଏହି କ୍ଲବ୍‌ ଗୁଡ଼ିକ ମାଧ୍ୟମରେ କୁଇଜ୍, ବିତର୍କ, ଆଲୋଚନାଚକ୍ର, ପ୍ରବନ୍ଧ ଲେଖନ, ସଚେତନତା ରାଲି, ମକ୍ ପୋଲିଂ ଏବଂ ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହା ଯୁବପିଢ଼ିଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ।

ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ ହେଉଛି ଏକ ଏପରି ମଞ୍ଚ ଯେଉଁଠାରେ ଯୁବପିଢ଼ି ନିର୍ବାଚନ, ଭୋଟ ଓ ଗଣତନ୍ତ୍ର ସମ୍ପର୍କରେ ସଠିକ୍ ଜ୍ଞାନ ଲାଭ କରି ଜଣେ ସଚେତନ ନାଗରିକ ଭାବେ ନିଜକୁ ପ୍ରସ୍ତୁତ କରିପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score