Explore

Search

August 5, 2026 4:03 am

ରେଶମ ସହରରେ ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ : ଲୋକକଳାରେ ଭବ୍ୟ ସ୍ୱାଗତ

ବ୍ରହ୍ମପୁର : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ ଆଜି ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି ସ୍ୱତନ୍ତ୍ର ‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ। ନୂଆଦିଲ୍ଲୀରୁ ଆସିଥିବା ଏହି ବିଶେଷ ଟ୍ରେନ ପାଇଁ ରେଳବାଇ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଓ ସ୍ୱାଗତ ବ୍ୟବସ୍ଥା କରାଯାଇଥିଲା।

ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ରେଳଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଟ୍ରେନ । ପ୍ରାୟ ୨ ଘଣ୍ଟା ୧୦ ମିନିଟର ଯାତ୍ରା ପରେ ସକାଳ ୧୧ଟା ୧୦ ମିନିଟରେ ଏହା ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା।

ବ୍ରହ୍ମପୁର ଷ୍ଟେସନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସମେତ ବହୁ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ପ୍ରଶାସନିକ ଅଧିକାରୀ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ ଓ ଶୁଭ ଶଙ୍ଖଧ୍ୱନି ମଧ୍ୟରେ ମହାମହିମ ରାଷ୍ଟ୍ରପତିଙ୍କୁ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମହାମହିମ କଳାକାରମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ।

ପରେ ରାଷ୍ଟ୍ରପତି କାର ଯୋଗେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ତପ୍ତପାଣିରେ ସେ ମା’ କନ୍ଧୁଣୀ ଦେବୀଙ୍କ ଆଶୀର୍ବାଦ ନେଇଥିଲେ । ଏହି ଯାତ୍ରା ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ।

ରାସ୍ତାର ଦୁଇ ପାର୍ଶ୍ୱରେ ଜମା ହୋଇଥିବା ଲୋକଙ୍କୁ ରାଷ୍ଟ୍ରପତି ହାତ ହଲାଇ ଅଭିବାଦନ ଜଣାଇଥିଲେ। ସବୁବେଳେ ପିଲାମାନଙ୍କ ପ୍ରତି ନିଜର ସ୍ନେହ ପାଇଁ ପରିଚିତ ରାଷ୍ଟ୍ରପତି ଏଥର ମଧ୍ୟ କୁନି କୁନି ପିଲାଙ୍କୁ ଦେଖି ଅଟକି ଯାଇଥିଲେ।

ବ୍ରହ୍ମପୁର ସହରର ମିନାକ୍ଷୀ ନଗର ନିକଟରେ ଗାଡ଼ିରୁ ଓହ୍ଲାଇ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ଦେଶର ପ୍ରଥମ ନାଗରିକଙ୍କୁ ନିକଟରୁ ଦେଖି ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score