ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କଥା ଉଠିଲେ ପ୍ରଥମେ କୋରାପୁଟ ନାଁ ଆଗକୁ ଆସେ । କୁହୁଡ଼ିରେ ଘେରା ପାହାଡ଼, ସବୁଜରେ ଭରିଥିବା ଉପତ୍ୟକା, ଗର୍ଜନ କରୁଥିବା ଝରଣା ଓ ପ୍ରକୃତିର ଅପୂର୍ବ ନିରବତା ଏସବୁର ମିଳନସ୍ଥଳ ହେଉଛି କୋରାପୁଟ । ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଏହି ପାହାଡ଼ିଆ ଜିଲ୍ଲାକୁ କେବଳ ଏକ ପର୍ଯ୍ୟଟନସ୍ଥଳ ବୋଲି କହିଲେ ଭୁଲ୍ ହେବ; ଏହା ପ୍ରକୃତି ଓ ସଂସ୍କୃତିର ଏକ ଜୀବନ୍ତ ଦୃଶ୍ୟ ।
ବର୍ଷା ଋତୁରେ ଏଠାକର ପ୍ରାକୃତିକ ପରିବେଶ ଯେପରି ସବୁଜ ଚାଦର ଘୋଡେଇ ହେଇ ନୂଆ ରୂପ ଧାରଣ କରେ, ତାହା ଦେଖି ପ୍ରତ୍ୟେକ ପର୍ଯ୍ୟଟକ ମୁଗ୍ଧ ହୋଇଯାଆନ୍ତି। ଓଡ଼ିଶାର ସର୍ବୋଚ୍ଚ ଶିଖର ଦେଓମାଳି, ମନମୋହକ ଡୁଡୁମା ଜଳପ୍ରପାତ, କୋଲାବ ଜଳଭଣ୍ଡାର ଓ ବିସ୍ତୃତ କଫି ବଗିଚା କୋରାପୁଟର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥାଏ। ବିଶେଷକରି ଜୈବିକ କଫି ଚାଷ ପାଇଁ କୋରାପୁଟ ଆଜି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚିତ।
ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏଠାର ଆଦିବାସୀ ସଂସ୍କୃତି ମଧ୍ୟ ସମାନ ଭାବେ ଆକର୍ଷଣୀୟ। ଗଦବା, ପରଜା, ବଣ୍ଡା ଓ ଅନ୍ୟାନ୍ୟ ଜନଜାତି ସମ୍ପ୍ରଦାୟ ନିଜର ପାରମ୍ପରିକ ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ ଓ ଜୀବନଶୈଳୀ ମାଧ୍ୟମରେ କୋରାପୁଟର ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ଜୀବନ୍ତ ରଖିଛନ୍ତି।
ପାହାଡ଼, ଜଙ୍ଗଲ, ଝରଣା, କଫି ବଗିଚା ଏବଂ ଆଦିବାସୀ ଐତିହ୍ୟର ଏହି ଅଦ୍ଭୁତ ସମନ୍ୱୟ ହିଁ କୋରାପୁଟକୁ “ଓଡ଼ିଶାର ଗ୍ରୀନ୍ ପାରାଡାଇଜ୍” ଭାବେ ପରିଚିତ କରିଛି। ଏଠାର ପ୍ରତ୍ୟେକ ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟର ଏକ ନୂଆ କାହାଣୀ କହେ, ଯାହା ପର୍ଯ୍ୟଟକଙ୍କ ମନରେ ଅବିସ୍ମରଣୀୟ ସ୍ମୃତି ଛାଡ଼ିଯାଏ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
