ଗଞ୍ଜାମ : ସମସ୍ୟା ଶୁଣିଲେ ଦୁଃଖୀ ମହିଳାଙ୍କ ଦୁଃଖ ଦୂର କଲେ । ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଲେ, ଆର୍ଥିକ ସହାୟତା ବି କରିଲେ। ଆଉ ତାଙ୍କର ଏଭଳି କାମ କରିବାର ପଦକ୍ଷେପକୁ ଦେଖି ମହିଳା ଜଣଙ୍କ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ଧନ୍ୟବାଦ ଦେଲେ। ଆଉ କହିଲେ ଜିଲ୍ଲାପାଳ ହେବ ତ ଏମିତି । ଯିଏ ଆମ କଷ୍ଟକୁ ବୁଝି ଆମ ଦୁଃଖ ଦୂର କରିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଫିସ ଆଗରେ।
ଗତ ସୋମବାର ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ସେଠାକୁ ଦୁଇ ଭିନ୍ନକ୍ଷମ ପୁଅଙ୍କୁ ଧରି ମୁଜାଗଡ଼ ନିକଟସ୍ଥ ବିରିପଦରର ବିଧବା ମହିଳା ସଂଯୁକ୍ତା ଗୌଡ଼ ପହଞ୍ଚିଥିଲେ । ସେଠାରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କୁ ଭେଟି ତାଙ୍କ ସମସ୍ୟା ଶୁଣାଇଥିଲେ। ଗତ ୩ ମାସ ହେଲା ତାଙ୍କର ଭିନ୍ନକ୍ଷମ ପୁଅ ଭତ୍ତା ଟଙ୍କା ପାଇନାହାଁନ୍ତି । ଆଉ ଯାହାଫଳରେ ଘରେ ଆର୍ଥିକ ସମସ୍ୟା ଉପୁଜିବା ସହ ଅନେକ ଅସୁବିଧା ହେଉଛି ।
ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ଏହି କଥା ଶୁଣି ଦୁଃଖ ପ୍ରକାଶ କରିବାସହ ତୁରନ୍ତ ନିଜ ଚୌକିରୁ ଉଠି ଆସିଥିଲେ। ମହିଳା ଜଣଙ୍କୁ ସାନ୍ତ୍ୱନା ଦେବା ସହ ରେଡକ୍ରସ ଫଣ୍ଡରୁ ୭୫୦୦ ଟଙ୍କାର ଆର୍ଥିକ ସହାୟତା କରିଥିଲେ । ଆଉ କହିଥିଲେ ୱେବସାଇଟରେ କିଛି ସମସ୍ୟା ଥିବାରୁ ଭତ୍ତା ଟଙ୍କା ପହଞ୍ଚିବାରେ ବିଳମ୍ବ ହୋଇଛି । ତୁରନ୍ତ ବାକି ସମସ୍ୟା ମଧ୍ୟ ଦୂର ହୋଇଯିବ ବୋଲି ମହିଳାଙ୍କୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଏହାକୁ ନେଇ ମହିଳା ଜଣଙ୍କ ଖୁସିବ୍ୟକ୍ତ କରିବାସହ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
