ଭୁବନେଶ୍ୱର: ଓଡ଼ିଶାର ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଓ ପ୍ରଯୁକ୍ତିଗତ ଭାବେ ଅଧିକ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ମିଶନ ଶକ୍ତି ସହ ଜଡ଼ିତ ମହିଳାମାନଙ୍କୁ ଆଧୁନିକ ଟେକ୍ନୋଲୋଜି, ଉଦ୍ୟୋଗ ପରିଚାଳନା, ଡିଜିଟାଲ ମାର୍କେଟିଂ ଏବଂ ନବସୃଜନ ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯିବ।
ମିଶନ ଶକ୍ତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ଲକ୍ଷପତି ଦିଦିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ନିଜ ଅଭିଜ୍ଞତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନେ କେବଳ ସ୍ୱୟଂନିର୍ଭର ହେବେ ନୁହେଁ, ବରଂ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରି ନିଜ ଆୟକୁ ଆହୁରି ବୃଦ୍ଧି କରିପାରିବେ ବୋଲି ଆଶା କରାଯାଉଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ଲକ୍ଷପତି ଦିଦି ସୃଷ୍ଟି କରିବା ନୁହେଁ, ବରଂ ସେମାନଙ୍କୁ ବଡ଼ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା। ଆସନ୍ତା ତିନି ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଜଣ ଲକ୍ଷପତି ଦିଦିଙ୍କୁ କୋଟିପତି ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ପ୍ରଶିକ୍ଷଣ, ଅର୍ଥ ସହାୟତା, ବଜାର ସଂଯୋଗ ଓ ଟେକ୍ନୋଲୋଜି ସହଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ଅନ୍ୟପଟେ, ରାଜ୍ୟର ପର୍ଯ୍ୟଟନ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ମଧ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି । କାଳିଜାଇ ଅଞ୍ଚଳରେ ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଇଲେକ୍ଟ୍ରିକ୍ ବୋଟ୍ ସେବା ଆରମ୍ଭ କରାଯିବାକୁ ଯୋଜନା ରହିଛି ।
ସେହିପରି ଚିଲିକା ଓ ଭିତରକନିକାରେ ଚାଲୁଥିବା ବୋଟ୍ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ଇଲେକ୍ଟ୍ରିକ୍ ଏବଂ ସୌରଶକ୍ତିଚାଳିତ ବ୍ୟବସ୍ଥାରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
