ଛତ୍ରପୁର : ପାଞ୍ଚ ଦିନର ରଙ୍ଗାରଙ୍ଗ ଆୟୋଜନ ପରେ ସରିଲା ଛତ୍ରପୁର ମହୋତ୍ସବ-୨୦୨୬ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ପାଞ୍ଚ ଦିନ ଧରି କଳା, ସଂସ୍କୃତି, ବାଣିଜ୍ୟ ଓ ପରମ୍ପରାର ଏକ ଅଦ୍ୱିତୀୟ ସଙ୍ଗମ ସୃଷ୍ଟି କରିଥିବା ଏହି ମହୋତ୍ସବ ଅଞ୍ଚଳବାସୀଙ୍କ ମନରେ ଅନେକ ସ୍ମୃତି ଛାଡ଼ି ଯାଇଛି ।
ଉଦଯାପନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଆଇଏଏସ୍ ଶିକ୍ଷାନବୀସ ସାରାନ୍ୟାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମା’ ରାମାୟଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଜିଲ୍ଲାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
ଅତିଥିମାନେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ପ୍ରଦର୍ଶନୀ, ଖାଦ୍ୟ ମେଳା ଓ ସୁଭଦ୍ରା ଶକ୍ତି ମେଳା ବୁଲି ଦେଖିବା ସହ ବିଭିନ୍ନ ଉତ୍ପାଦକ, ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ଓ ବ୍ୟବସାୟକୁ ମିଳିଥିବା ପ୍ରୋତ୍ସାହନ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ। ବ୍ୟବସାୟୀମାନେ ମଧ୍ୟ ଭଲ ବିକ୍ରି ହୋଇଥିବା କହି ଆଗାମୀ ବର୍ଷ ପୁଣି ଯୋଗଦେବାକୁ ଆଗ୍ରହ ଦେଖାଇଥିଲେ।
ଶେଷ ସନ୍ଧ୍ୟାର ସାଂସ୍କୃତିକ ଆସର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ପ୍ରଖ୍ୟାତ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ, ପ୍ରଜ୍ଞା ହୋତା ଓ ସଚିନ ରାଉତଙ୍କ ସୁମଧୁର ସଙ୍ଗୀତ ସହ ଆର୍ଡିଏକ୍ସ ଡ୍ୟାନ୍ସ ଗ୍ରୁପ୍ର ଜୋସଭରା ପରିବେଷଣ ଦର୍ଶକଙ୍କ ଭୁରିଭୁରି ପ୍ରଶଂସା ସାଉଁଟିଥିଲା । ଏହାସହିତ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସେମି କ୍ଲାସିକାଲ, ସମ୍ବଲପୁରୀ, ମାହାରୀ, କାଳୀ ନୃତ୍ୟ, ପଶୁମୁଖା ନୃତ୍ୟ ଓ ଅନ୍ୟାନ୍ୟ ଲୋକନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ମହୋତ୍ସବକୁ ଅଧିକ ରଙ୍ଗୀନ କରିଥିଲା ।
ଏହି ଅବସରରେ କୃଷି, ପଶୁପାଳନ, ମତ୍ସ୍ୟଚାଷ, ସ୍ୱୟଂସହାୟକ ଗୋଷ୍ଠୀ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅନେକ ବ୍ୟକ୍ତି ଓ ସଂସ୍ଥାକୁ ସମ୍ମାନିତ କରାଯାଇଥିଲା । ମହୋତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିବା ବିଭିନ୍ନ ସରକାରୀ ବିଭାଗ, ଶିଳ୍ପ ସଂସ୍ଥା, ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍, ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ମହୋତ୍ସବର ସଫଳ ସମାପନ ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଓ ଛତ୍ରପୁର ବିଧାୟକ ଅଞ୍ଚଳବାସୀ, ପୋଲିସ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ଜଡିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ସେମାନେ କହିଥିଲେ ଯେ, ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭାଗିଦାରୀ ଯୋଗୁଁ ଛତ୍ରପୁର ମହୋତ୍ସବ-୨୦୨୬ ଏକ ସ୍ମରଣୀୟ ଓ ସଫଳ ଆୟୋଜନରେ ପରିଣତ ହୋଇପାରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
