ଭୁବନେଶ୍ୱର : ଓଡ଼ିଶାର ପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପକୁ ବିଶ୍ୱସ୍ତରୀୟ ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବୃହତ୍ ପଦକ୍ଷେପ ନେଇଛନ୍ତି । ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ଏକ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ଏହି ମାହାତ୍କାଂକ୍ଷୀ ପ୍ରକଳ୍ପ ଗଢ଼ି ଉଠିବ।
ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଅସ୍ମିତାର ଜୀବନ୍ତ ପ୍ରତୀକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସହ ଏହି କଳାର ଗଭୀର ସମ୍ପର୍କ ରହିଛି ।
ଏହି ପ୍ରକଳ୍ପ ମାଧ୍ୟମରେ ପାରମ୍ପରିକ କାରିଗରମାନଙ୍କ କୌଶଳକୁ ନୂତନ ବଜାର ଓ ଆଧୁନିକ ସୁବିଧା ସହ ଯୋଡ଼ାଯିବ ବୋଲି ସେ ମତ ପ୍ରକାଶ କରିଥିଲେ। ପାଞ୍ଚ ମହଲା ବିଶିଷ୍ଟ ଏହି “କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍”ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ ସେଣ୍ଟର, ପ୍ରଶିକ୍ଷଣ କେନ୍ଦ୍ର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତାକାଶ ରଙ୍ଗମଞ୍ଚ ଏବଂ ଓଡ଼ିଆ ଖାଦ୍ୟ କୋର୍ଟ ଭଳି ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ରହିବ। ଏଠାରେ ଚାନ୍ଦୁଆ କଳା ସମେତ ରାଜ୍ୟର ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜିଆଇ ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା କରାଯିବ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପିପିଲି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଭାବେ ଲାଭାନ୍ୱିତ ହେବେ। କାରିଗରମାନଙ୍କ ପାଇଁ କଞ୍ଚାମାଲ ସୁଲଭ କରିବା ଉଦ୍ଦେଶ୍ୟରେ ଏକ ‘ର ମେଟେରିଆଲ ବ୍ୟାଙ୍କ’ ସ୍ଥାପନ କରାଯିବ। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ କାରିଗରମାନଙ୍କୁ ଡିଜିଟାଲ୍ ମାର୍କେଟିଂ, ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ ସମ୍ପର୍କିତ ପ୍ରଶିକ୍ଷଣ ଦେଇ ଇ-କମର୍ସ ବଜାର ସହ ଯୋଡ଼ାଯିବ।
ରାଜ୍ୟସରକାରଙ୍କ ମତରେ, ଏହି ହବ୍ କେବଳ ଏକ ହସ୍ତଶିଳ୍ପ କେନ୍ଦ୍ର ନୁହେଁ, ବରଂ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେବାର ପ୍ରୟାସ। ‘ଭୋକାଲ ଫର ଲୋକାଲ’ ଅଭିଯାନକୁ ଆଗେଇ ନେଇ ପିପିଲି ଚାନ୍ଦୁଆ ଶିଳ୍ପକୁ ବିଶ୍ୱ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍ ନିର୍ମାଣ ହେବାପରେ ଏହା ରାଜ୍ୟର ହସ୍ତଶିଳ୍ପ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
