ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସ୍କୁଲର ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଛୁଟି ବଢ଼ିବ କି ନାହିଁ ସେନେଇ ଏବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ସେତେବେଳର ପାଣିପାଗ ସ୍ଥିତି ଏବଂ ତାପମାତ୍ରାକୁ ଆକଳନ କରି ସରକାର ଆବଶ୍ୟକ ପଦକ୍ଷେପ ନେବେ ।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଯଦି ତାପ ପ୍ରବାହର ତୀବ୍ରତା କମିବ ନାହିଁ, ତେବେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ଆହୁରି କିଛି ଦିନ ବଢ଼ାଯାଇପାରେ। ଛାତ୍ରଛାତ୍ରୀଙ୍କ କଲ୍ୟାଣ ହିଁ ଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅତ୍ୟଧିକ ଖରା ଏବଂ ଗରମ ପବନକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସ୍କୁଲରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅନୁମୋଦନ କରିବା ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା।
ଏବେ ଛୁଟି ଶେଷ ହେବାର ସମୟ ପାଖେଇ ଆସୁଥିବାବେଳେ ଅଭିଭାବକମାନଙ୍କ ଚିନ୍ତା ବଢ଼ିଛି। ସକାଳୁ ହିଁ ତାପମାତ୍ରା ଉପରମୁହାଁ ହେଉଥିବା ବେଳେ ଦିନ ବଢ଼ିବା ସହ ପରିସ୍ଥିତି ଅଧିକ କଠିନ ହୋଇପଡ଼ୁଛି। ବିଶେଷ କରି ଛୋଟ ପିଲାମାନେ ସ୍କୁଲ ଯାତାୟାତ ସମୟରେ ଖରାର ପ୍ରଭାବରେ ଅସୁସ୍ଥ ହେବାର ଆଶଙ୍କା ରହିଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଅତ୍ୟଧିକ ଗରମ ଯୋଗୁଁ ହିଟ୍ଷ୍ଟ୍ରୋକ, ଜଳଶୂନ୍ୟତା ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ପିଲାମାନଙ୍କୁ ପ୍ରଚୁର ପରିମାଣରେ ପାଣି ପିଆଇବା, ହାଲୁକା ରଙ୍ଗର ପୋଷାକ ପିନ୍ଧାଇବା ଓ ଅନାବଶ୍ୟକ ଭାବେ ଖରାରେ ବାହାରକୁ ନ ପଠାଇବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ, ପାଣିପାଗ ସ୍ଥିତି ଉପରେ ସରକାରଙ୍କ ନଜର ରହିଛି । ଆଗାମୀ କିଛି ଦିନରେ ତାପମାତ୍ରାରେ ହ୍ରାସ ନଘଟିଲେ ସ୍କୁଲ ଖୋଲିବା ତାରିଖ ନେଇ ପୁନର୍ବିଚାର କରାଯାଇପାରେ। ପିଲାମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
